ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ସିସୋର ଚିଟଫଣ୍ଡକୁ ନେଇ ଆସିଛି ଏକ ବଡ଼ ଖବର । ୯ ବର୍ଷ ପରେ ଏହି ମାମଲାରେ ସିବିଆଇ କୋର୍ଟ ଚାର୍ଜ ଫ୍ରେମ କରିଛନ୍ତି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାମରେ ଏହି ଚାର୍ଜ ଫ୍ରେମ କରାଯାଇଛି । ଏଥିସହିତ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାମରେ ମଧ୍ୟ ଚାର୍ଜ ଫ୍ରେମ ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଭୁବନେଶ୍ୱର ସିବିଆଇ-୧ କୋର୍ଟ ଏହି ଚାର୍ଜ ଫ୍ରେମ୍ କରିଛନ୍ତି । ବେଆଇନ ଅର୍ଥ କାରବାରକୁ ନେଇ ପ୍ରଭାତ ଓ ଲକ୍ଷ୍ମୀବିଳାସିନୀଙ୍କ ନାମରେ ଚାର୍ଜ ଫ୍ରେମ କରାଯାଇଛି । ଦଫା ୪୨୦, ୧୨୦ବି, ୪୦୯, ୪୬୭, ୪୬୮ ଓ ୪୭୧ରେ ଚାର୍ଜ ଫ୍ରେମ କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ପ୍ରଭାତଙ୍କ ବିରୋଧରେ ଥିବା ସିସୋର ଚିଟଫଣ୍ଡ ମାମଲା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବା ସହ ତାଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିଥିଲା । ସିବିଆଇ ମାମଲା ରଦ୍ଦ ନେଇ ପ୍ରଭାତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ସିବିଆଇ ମାମଲା ରଦ୍ଦ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ । ପ୍ରଭାତଙ୍କ ବିରୋଧରେ ବିଚାରାଧୀନ ଥିବା ମାମଲାର ଶୁଣାଣି ଏକ ବର୍ଷ ମଧ୍ୟରେ ଶେଷ କରିବାକୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
୨୦୧୯ ମସିହାରେ ପ୍ରଭାତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ୨୦୧୭ରେ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା । ଏହାପରେ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ସିବିଆଇ ରିମାଣ୍ଡରେ ନେଇଥିଲା । ମାତ୍ର ରିମାଣ୍ଡରେ ବେଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା ।