CBSE New Rule: ଏଣିକି ବର୍ଷକୁ 2ଥର ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, କେବେଠୁ ଲାଗୁ ହେବ ଜାଣନ୍ତୁ
ସିବିଏସଇର ନୂଆ ନିୟମ । ବର୍ଷକୁ 2ଥର ହେବ ବୋର୍ଡ ପରୀକ୍ଷା ।
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । CBSE ନିଷ୍ପତ୍ତି ନେଇଛି ଯେ 2026 ରୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର କରାଯିବ ।
ଯଦି କୌଣସି ଛାତ୍ର ଅସୁସ୍ଥ ହୁଅନ୍ତି କିମ୍ବା କୌଣସି କାରଣରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି, ତେବେ ସେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଏହାର ଡ୍ରାଫ୍ଟ ଖୁବ୍ ଶୀଘ୍ର ପ୍ରକାଶିତ ହେବ ବୋଲି କୁହାଯାଇଛି ।
ସୋମବାର ଜାରି ହେବ ରିପୋର୍ଟ – ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି CBSE ଅଧିକାରୀ ଏବଂ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT), କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS), ଏବଂ ନବୋଦୟ ବିଦ୍ୟାଳୟ ସମିତି (NVS) ର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରିଛନ୍ତି । ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଛି ଏବଂ ରିପୋର୍ଟ ଅନୁସାରେ, ଆସନ୍ତା ସୋମବାର ଏହାକୁ ସାର୍ବଜନୀନ କରାଯିବ।
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସଂସ୍କାରଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ଚାପମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି କରିବା ପାଇଁ ଏଗୁଡ଼ିକ ଆବଶ୍ୟକୀୟ ପଦକ୍ଷେପ। ସେ କହିଥିଲେ, “ପରୀକ୍ଷା ସଂସ୍କାର ଏବଂ ପରିବର୍ତ୍ତନ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସଂସ୍କାରଗୁଡ଼ିକ ପରୀକ୍ଷା ସମ୍ବନ୍ଧୀୟ ଚାପ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ଏକ ସନ୍ତୁଳିତ ମୂଲ୍ୟାଙ୍କନ ବ୍ୟବସ୍ଥା ସୁନିଶ୍ଚିତ କରିବ।”
କହିରଖୁଛୁ କି, ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହୋଇ ଏପ୍ରିଲ 4 ତାରିଖରେ ଶେଷ ହେବ ।