fbpx

ଦୁର୍ନୀତକୁ ନେଇ କେନ୍ଦ୍ର ସରକାର କଠୋର, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ

ନୂଆଦିଲ୍ଲୀ : କେନ୍ଦ୍ରର ମୋଦୀ ସରକାର ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମନ ସ୍ଥିର କରି ସାରିଛି। କାର୍ମିକ ବିଭାଗ ଓ ଗୃହ ମନ୍ତ୍ରଣାଳୟ ଉଭୟ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି। ଆଲୋକ ବର୍ମାଙ୍କ ବିରୋଧରେ ଏହି ପଦକ୍ଷେପ ଦୁର୍ନୀତି ମାମଲାରେ କରାଯାଉଛି। ସିବିଆଇ ନିର୍ଦ୍ଦେଶକ ଥିବା ସମୟରେ ସେ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।

ଟାଇମ୍ସ ନାଓର ଖବର ଅନୁଯାୟୀ, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଓ କାର୍ମିକ ବିଭାଗ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି)କୁ କହିଛି ଯେ, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ବର୍ମାଙ୍କ ବିରୋଧରେ ପଦର ଦୁରୁପଯୋଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆଲୋକ ବର୍ମା ୨୦୧୮ରେ ସେହି ସମୟରେ ବିବାଦରେ ଆସିଥିଲେ, ଯେବେ ସିବିଆଇର ତତ୍କାଳୀନ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ତାଙ୍କ ଉପରେ ଲାଞ୍ଚ କାରବାରର ଅଭିଯୋଗ ଲଗାଇଥିଲେ। ସିବିଆଇ ଏକ କେସର ରଫା ଦଫା ପାଇଁ ରାକେଶ ଆସ୍ଥାନାଙ୍କ ବିରୋଧରେ ୨ କୋଟି ଟଙ୍କାର ଲାଞ୍ଚ ନେଇଥିବା କେସ୍ ରୁଜୁ କରିଥିଲା। ମାତ୍ର ଏହା ପରେ ଆସ୍ଥାନା ଅନେକ ମାମଲାରେ ଆଲୋକ ବର୍ମାଙ୍କ ବିରୋଧରେ ମଧ୍ୟ ଲାଞ୍ଚ ନେବା ଅଭିଯୋଗ କରିଥିଲେ।

ଖବର ଅନୁଯାୟୀ, ସରକାର ବର୍ତ୍ତମାନ ବର୍ମାଙ୍କ ବିରୋଧରେ ଲାଗିଥିବା ଦୁର୍ନୀତି ଅଭିଯୋଗରେ ହସ୍ତକ୍ଷେପ କରିଛି। ସିବିଆଇ ନିର୍ଦ୍ଦେଶକ ଥିବା ସମୟରେ ବର୍ମା ପଦର ଦୁରୁପଯୋଗ କରିଥିବା କେନ୍ଦ୍ର ସରକାର କହିଛନ୍ତି। ସୂଚନାଯୋଗ୍ୟ, ଆଲୋକ ବର୍ମାଙ୍କ ନାମ ସେହି ସମ୍ଭାବିତ ଲୋକଙ୍କ ତାଲିକାରେ ମଧ୍ୟ ସାମିଲ୍, ଯାହାଙ୍କ ପେଗାସସ୍ ସ୍ପାଇଓ୍ଵେର ଜରିଆରେ ଗୁଇନ୍ଦାଗିରି କରାଯାଇଛି। କେବଳ ଏତିକି ନୁହେଁ ସରକାର ଜାଣିବାକୁ ପାଇଛନ୍ତି ଯେ, ନିଜ କାର୍ଯ୍ୟକାଳରେ ବର୍ମା ସରକାରୀ ନିୟମର ଉଲ୍ଲଂଘନ କରିଥିଲେ।

ସରକାର ବର୍ମାଙ୍କ ବିରୋଧରେ ଜରିମାନା ଲଗାଇବାକୁ କେନ୍ଦ୍ର ସୁପାରିଶ କରିଛି। ଯଦି ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ସୁପାରିଶ ଗ୍ରହଣ କରି ନିଆଯାଏ ତେବେ, ଏଥିରେ ଆଲୋକ ବର୍ମାଙ୍କ ପେନସନ ଓ ଅବସର ପରେ ମିଳୁଥିବା ଅନ୍ୟ ସୁବିଧା ଉପରେ ପ୍ରଭାବ ପଡିପାରେ।

Get real time updates directly on you device, subscribe now.