CHARIDHAM

LPG କ୍ଷତି ଭରଣା ପାଇଁ ତୈଳ କମ୍ପାନୀଙ୍କୁ ୨୨ ହଜାର କୋଟି ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଲପିଜି ଦର ନବଢିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ। କ୍ଷତି ଭରଣା କରିବାକୁ ତୈଳ କମ୍ପାନୀଙ୍କୁ ୨୨ ହଜାର କୋଟି ଟଙ୍କା ଦେବେ ସରକାର। ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାର ତୈଳ କମ୍ପାନୀ ମାନଙ୍କୁ କ୍ଷତିଭରଣା କରିବା ପାଇଁ ୨୨ ହଜାର କୋଟି ଟଙ୍କା ଦେବାକୁ ମଞ୍ଜୁରୀ କରିଛନ୍ତି। ଏହି ସାହାଯ୍ୟ ପରେ ଘରୋଇ କମ୍ପାନୀ ଗୁଡ଼ିକ ଆତ୍ମନିର୍ଭର ଭାରତ ପ୍ରତିବଦ୍ଧତା ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ହୋଇଥିବା କ୍ଷତି ପୂରଣ ପାଇଁ ସରକାର ରାଷ୍ଟ୍ରାୟତ୍ତ ପିଏସୟୁ ଗୁଡ଼ିକ ପାଇଁ ଅତିରିକ୍ତ ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି।

ତିନି ରାଷ୍ଟ୍ରାୟତ ଖୁଚୁରା ବ୍ୟବସାୟୀ ଭାରତ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ୍ କର୍ପୋରେସନ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଦେଶରେ ୯୦ ପ୍ରତିଶତରୁ ଅଧିକ ପେଟ୍ରୋଲିୟମ ଉତ୍ପାଦ ଯୋଗାଇଥାନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଦି କାରଣରୁ ଏହି କମ୍ପାନୀ ଗୁଡ଼ିକ ଗତ ତ୍ରେୟମାସିକରେ କ୍ଷତି ସହିଛନ୍ତି। ତେବେ ଦେଶରେ ନିରନ୍ତର ବିଭିନ୍ନ ଜିନିଷର ଦରଦାମ୍ ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ଗତ ଏପ୍ରିଲରୁ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ଦାମ୍ ସ୍ଥିର ରଖିଛନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ସରକାର ତୈଳ ଯୋଗାଣ କମ୍ପାନୀ ଗୁଡ଼ିକୁ ୫,୮୦୦ କୋଟି ସବସିଡ୍ ପ୍ରଦାନ କରି ସାରିଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ବିଷୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ସମୟରେ ସେ କହିଥିଲ ଯେ, ବିଶ୍ୱସ୍ତରରେ ଏଲପିଜିର ଦାମ୍ ୩୦୦ ପ୍ରତିଶତ ବୃଦ୍ଧି ପାଇସାରିଲାଣି। ଏହାର ତୁଳନାରେ ଭାରତରେ ଦର ବୃଦ୍ଧି ବହୁତ୍ କମ୍ ଅଟେ। ଜୁନ୍ ୨୦୨୦ରୁ ଜୁନ୍ ୨୦୨୨ ପର୍ଯ୍ୟନ୍ତ ସମୟ ମଧ୍ୟରେ ତୈଳ ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ ସେମାନଙ୍କ କ୍ଷତିଭରଣା କରିବା ପାଇଁ ୨୨ ହଜାର କୋଟି ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ କରିଥିବା ସେ ସୂଚନା ଦେଇଥିଲେ।

ଚଳିତ ମାସ ୧ ତାରିଖରେ ତୈଳ କମ୍ପାନୀ ଗୁଡ଼ିକ ୧୯ କେଜି କମର୍ସିଆଲ ସିଲିଣ୍ଡରରେ କେଜି ପିଛା ୨୫.୫ ଟଙ୍କା ହ୍ରାସ କରିଥିଲେ। ଦେଶର ରାଜଧାନୀ ଦିଲ୍ଲୀରେ ଏବେ କମର୍ସିଆଲ ସିଲିଣ୍ଡର ଦାମ୍ ୧୮୫୯ ଟଙ୍କା ରହିଛି। ତେବ ଘରୋଇ ସିଲିଣ୍ଡର ଦାମ୍ ରେ କୋଣସି ପରିବର୍ତ୍ତନ ଆସି ନାହିଁ। ଦିଲ୍ଲୀରେ ବର୍ତ୍ତମାନ ଘରୋଇ ସିଲିଣ୍ଡର ପିଛା ଦାମ୍ ୧୦୫୩ ଟଙ୍କା ରହିଛି।