fbpx

OSSC ପକ୍ଷରୁ ସୂଚନା ଜାରି: ସିଜିଏଲଆରଇ-୨୦୨୪ ଗ୍ରୁପ-ବି ଓ ଗ୍ରୁପ-ସି ଷ୍ଟେଟ କ୍ୟାଡର ପଦ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଗ୍ରାଜୁଏଟ ଶିକ୍ଷାଗତ ଯୋଗ୍ୟତାଧାରୀଙ୍କ ପାଇଁ ଗତ ୧୫ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ୫୮୬ ଜଣ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ୮ଟି ବିଭାଗରେ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ଦିଆଯିବ । ଏଣ୍ଡୋମେଣ୍ଟ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସିଟି ଆଣ୍ଡ ଜିଏସଟି ଅଫିସର, ଅଡିଟର, କୋଅପରେଟିଭ୍ ସୋସାଇଟିଜ୍ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ଆଦି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ତେବେ ଏହା ମଧ୍ୟରେ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)-୨୦୨୪ର ଗ୍ରୁପ-ବି ଓ ଗ୍ରୁପ-ସି ଷ୍ଟେଟ କ୍ୟାଡର ପଦ/ ସେବାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ନିଯୁକ୍ତିର ପଦ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ୫୮୬ଟି ପଦ ଖାଲି ଥିବା ବେଳେ ଏବେ ତାହା ୫୯୫କୁ ବୃଦ୍ଧି ପାଇଛି । ଅଣସଂରକ୍ଷିତଙ୍କ ପାଇଁ ୨୬୫ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କ ପାଇଁ ୬୮ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୧୦୬ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧୫୬ଟି ପଦ ଖାଲି ରହିଛି । ଏନେଇ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଏପ୍ରିଲ ମାସ ୫ ତାରିଖରୁ ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ମେ’ ୨ରେ ସମାପ୍ତ ହେବ । ମେ ୫ ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ରହିଥିବା ବେଳେ ମେ ୧୭ ଅନଲାଇନ୍ ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ରହିଛି । ରାଜ୍ୟ ସରକାରଙ୍କର ଏଣ୍ଡୋମେଣ୍ଟ କମିଶନର, ସିଟି ଆଣ୍ଡ ଜିଏସଟି କମିଶନର, ମତ୍ସ୍ୟ ନିର୍ଦ୍ଦେଶାଳୟ, ଜଳ ସମ୍ପଦ ବିଭାଗରେ ପଦ ପୂରଣ ହେବ ।

Get real time updates directly on you device, subscribe now.