ଚନ୍ଦ୍ର ପୃଷ୍ଠରେ ସର୍ବଦା ରହିବ ଭାରତର ରାଷ୍ଟ୍ରୀୟ ଚିହ୍ନ, ଚନ୍ଦ୍ରଯାନ-୩ର ରୋଭର ଚନ୍ଦ୍ର ପୃଷ୍ଠରେ ଆଙ୍କିବ ଏହି ଅଲିଭା ଚିହ୍ନ

ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ଚାନ୍ଦ ଆଡକୁ ଅଗ୍ରସର ହୋଇସାରିଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଚନ୍ଦ୍ରଯାନର ସଫଳ ପ୍ରକ୍ଷେପଣ କରାଯାଇଛି । ଏବେ ଏହା ପୃଥିବୀର କକ୍ଷରେ ରହିଛି ଓ ଧୀରେ ଧୀରେ ଚନ୍ଦ୍ର ଆଡକୁ ଗତି କରୁଛି । ଚନ୍ଦ୍ରଯାନ ୩ ର ମୁଖ୍ୟ ଲକ୍ଷ୍ୟ ଚନ୍ଦ୍ରମା ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା । ଏହାପରେ ଏହା ଚନ୍ଦ୍ରମା ପୃଷ୍ଠରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ଓ ଏହାର ରହସ୍ୟ ଉପରୁ ପରଦା ଉଠାଇବ । ଏହା ସହିତ ଭାରତର ରାଷ୍ଟ୍ରୀୟ ଚିହ୍ନର ସଂକେତ ମଧ୍ୟ ଲେଖି କରି ଆସିବ ।

୨୩ ଅଗଷ୍ଟରେ ଚନ୍ଦ୍ରଯାନ ୩ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଯୋଜନା ରହିଛି । ଏ ପର୍ଯ୍ୟନ୍ତ ବିଶ୍ୱର କେବଳ ୩ ଦେଶ ଆମେରିକା, ରୁଷ ଓ ଚୀନ୍ ଏପରି କରିପାରିଛନ୍ତି । ଏଥିରେ ସଫଳ ହେଲେ ଭାରତ ଏହି ଦେଶମାନଙ୍କ କ୍ଲବରେ ସାମିଲ ହୋଇଯିବ । ଚନ୍ଦ୍ରଯାନ ୩ ସହିତ ଏଥର କେବଳ ରୋଭର ଓ ଲ୍ୟାଣ୍ଡର ହିଁ ଯାଉଛନ୍ତି । ଚନ୍ଦ୍ରଯାନ ୨ ସହିତ ଯାଇଥିବା ଅର୍ବିଟର ଏବେ ବି ଚନ୍ଦ୍ରପୃଷ୍ଠରେ ଅଛି ଏବଂ କାମ କରୁଛି ।

ଲ୍ୟାଣ୍ଡରରୁ ଅଲଗା ହେବା ପରେ ରୋଭର ପ୍ରଜ୍ଞାନ କେବଳ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ନାହିଁ ବରଂ ସବୁଦିନ ଲାଗି ଚନ୍ଦ୍ରମାରେ ଭାରତର ଚିହ୍ନକୁ ଛାଡିଆସିବ । ରୋଭରର ପଛ ଚକାକୁ ଏପରି ତିଆରି କରାଯାଇଛି ଯାହା ଆଗକୁ ଯିବା ସହିତ ନିଜ ପଛରେ ରହିଯାଇଥିବା ଚନ୍ଦ୍ରମା ପୃଷ୍ଠରେ ଭାରତର ରାଷ୍ଟ୍ରୀୟ ଚିହ୍ନକୁ ଅଙ୍କିତ କରିବ । ଏହାର ଅନ୍ୟ ଏକ ଚକ ଇସ୍ରୋର ଚିହ୍ନ ପ୍ରିଣ୍ଟ କରିବ ଯାହା ସବୁଦିନ ଲାଗି ଚନ୍ଦ୍ର ପୃଷ୍ଠରେ ଭାରତର ଉପସ୍ଥିତିର ପ୍ରମାଣ ହେବ ।