fbpx

ରାତିର ତାପମାତ୍ରାରେ ପରିବର୍ତ୍ତନ; ବଢ଼ୁଛି ପାରଦ କମୁଛି ଶୀତ

ଭୁବନେଶ୍ବର: କଥାରେ ଅଛି ‘ମାଘ ମାସର ଶୀତ ବାଘ ପରି’। ହେଲେ ଏବେଠୁ ଅର୍ଥାତ୍ ମାଘ ମାସର ପ୍ରଥମ ସପ୍ତାହରୁ ଶୀତ ଅନୁଭୂତ ହେଉନାହିଁ। ଯଦି ପାଣିପାଗ ବିଭାଗର ତଥ୍ୟ ଉପରେ ନଜର ପକାଇବା ତେବେ ସେଥିରୁ ସ୍ପଷ୍ଟ ଜଣା ଯାଉଛି ଯେ ତାପମାତ୍ରାରେ କିପରି ପରିବର୍ତ୍ତନ ହେଉଛି। ଅଜିର ରିପୋର୍ଟ ଅନୁସାରେ ସାରା ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶାର ସମସ୍ତ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଓ ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ୩ରୁ ୬ ଡିଗ୍ରି ଅଧିକ ରହୁଛି। ପୁରୀରେ ରାତିର ତାପମାତ୍ରା ୨୨.୪ ଡିଗ୍ରି ପହଞ୍ଚିଥିବା ବେଳେ ପରାଦୀପରେ ୨୦.୬, ଭଦ୍ରକରେ ୨୦, ଯାଜପୁରରେ ୧୯.୮, ଗୋପାଳପୁରରେ ୧୯.୭ ଡିଗ୍ରି ରହିଥିଲା।

ସେହିପରି ରାଜଧାନୀ ଭୁବନେଶ୍ବରରେ ୧୯.୨, ଢେଙ୍କାନାଳରେ ୧୯.୧, କଟକରେ ୧୯, ବାଲେଶ୍ବରରେ ୧୮.୯, ଚାନ୍ଦବାଲିରେ ୧୮.୬ ଡିଗ୍ରି ରହିଥିଲା। ଭବାନୀପାଟଣା, ଟିଟିଲାଗଡ଼, ସମ୍ବଲପୁର, ହୀରାକୁଦ, ବଲାଙ୍ଗୀର ଭଳି ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ଥିଲା। କଟକ, ଚାନ୍ଦବାଲି ଓ ବାଲେଶ୍ବରରେ ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା। ସେହିପରି ଭୁବନେଶ୍ବର, ରାଉରକେଲା, ଝାରସୁଗୁଡ଼ା, ବାରିପଦା, କେନ୍ଦୁଝର ଓ ଭବାନୀପାଟଣାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବାରୁ ଦୃଶ୍ୟମାନ ଦୂରତା ୨୦୦ରୁ ୧୦୦୦ ମିଟର ରହିଥିଲା। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Get real time updates directly on you device, subscribe now.