ପୋଷ୍ଟମର୍ଟମ୍ ରିପୋର୍ଟ ଦେଖି ଡରିଗଲେ ଡାକ୍ତର, ଫାଟିଯାଇଛି ହୃଦପିଣ୍ଡ, ୪ ଫାଳ ହୋଇଯାଇଛି ଲିଭର
ଡାକ୍ତରୀ ପ୍ରଫେଶନର ୧୨ ବର୍ଷ ଭିତରେ ଏଭଳି ଘଟଣା ଦେଖି ନ ଥିବା କହିଲେ ଡାକ୍ତର । ମୁକେଶଙ୍କ ବେକ ମୋଡ଼ି ଭାଙ୍ଗି ଦେଇଛନ୍ତି ହତ୍ୟାକରୀ ।
ଛତିଶଗଡ଼: ଛତିଶଗଡ଼ ବିଜାପୁର ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସଆଇଟି ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ସୁରେଶକୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଥିବା ଜଣାଯାଇଛି। ସେ ବିଦେଶ ଚାଲିଯିବାକୁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଏଣେ ଅନ୍ୟ ଦୁଇ ସହଯୋଗୀଙ୍କୁ ବି ଧରିଛି ପୁଲିସ।
ଆଜି ଆସିଛି ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ। ଏଥିରେ କୁହାଯାଇଛି ଯେ ମୁକେଶ ଚନ୍ଦ୍ରକାରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ତାଙ୍କର ଶରୀରରେ ୫ଟି ଫ୍ରାକ୍ଚର ରହିଛି। ତାଙ୍କ ଲିଭର୍୪ ଖଣ୍ଡ ହୋଇଥିଲା। ଏଣେ ହୃଦୟରେ ବି ଫାଟ ରହିଥିଲା। ବେକ ମଧ୍ୟ ଭାଙ୍ଗି ଦେଇଥିଲେ ହତ୍ୟାକାରୀ। ଏପରି ନୃଶଂସ ହତ୍ୟା କେବେ ଦେଖି ନ ଥିବା କହିଛନ୍ତି ପୋଷ୍ଟମାର୍ଟମ କରିଥିବା ଡାକ୍ତର।
ଚୋରି ଧରିବାରୁ ମିଳିଲା ଦଣ୍ଡ: ପୁଲିସ ସୁରେଶ ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା। ନୂଆବର୍ଷ ତଥା ଜାନୁଆରି ୧ରେ ଅଚାନକ ଗାଏବ ହୋଇଯାଇଥିଲେ ମୁକେଶ। ଫୋନ୍ ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଠିକାଦାରମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରିଥାଇପାରନ୍ତି ବୋଲି ମୁକେଶଙ୍କ ଭାଇ ସୁକେଶ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ବିଜାପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ବିଜାପୁର ଅଞ୍ଚଳରେ ୧୨୦ କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ତ୍ତ ବିଭାଗ ଦ୍ବାରା ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ମୁକେଶ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଖବର ପ୍ରସାରଣ କରିଥିଲେ। ଏହା ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା। ଯାହାକୁ ନେଇ ଠିକାଦାର ରକ୍ତମୁଖା ହୋଇ ଉଠିଥିଲେ। ଜାନୁଆରି ୧ରେ ମୁକେଶଙ୍କୁ ଠିକାଦାର ଅପହରଣ କରିବା ପରେ ହତ୍ୟା କରିଥିଲେ।