ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀକ୍ଷେତ୍ରରେ ଶେଷ ହେଲା ନବ ଦିନାତ୍ମକ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିରକୁ ବାହୁଡିଲେ ତିନି ଦିଅଁ । ସିଂହଦ୍ବାରରେ ଲାଗିଲା ଶ୍ରୀଜିଉଙ୍କ ତିନି ରଥ । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଦେଖାଦେଇଛି । ନଅ ଦିନର ଯାତ୍ରା ସାରି ବାହୁଡ଼ିଛନ୍ତି ମହାପ୍ରଭୁ । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ୩ରଥ ।
ପ୍ରଥମେ ବଡ଼ ଠାକୁର ବଳଭଦ୍ର ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପଛେ ପଛେ ପହଞ୍ଚିଥିଲେ ସାନ ଭଉଣୀ । ଏହାପରେ ଗହଳି ଧରି ସିଂହଦ୍ବାରରେ ପହଞ୍ଚିଥିଲେ ହଟିଆ ଠାକୁର କାଳିଆ ସାଆନ୍ତ । ଭକ୍ତି ଓ ଭାବରେ ଭିଜିଲା ଶ୍ରୀକ୍ଷେତ୍ର । ସଂହଦ୍ୱାର ନିକଟରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ସେପଟେ ରାଜନଅର ନିକଟରେ ଲକ୍ଷ୍ମୀନାରାୟଣ ଭେଟ ହୋଇଛି । ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଲେ ଗଜପତି ।