fbpx

ଓଡ଼ିଶାକୁ ଦାଉ ସାଜିଲା ଛତିଶଗଡ଼: ଖରାଦିନେ ବୁନ୍ଦାଏ ପାଣି ଦେଲାନି, ବର୍ଷାଦିନେ ବୁଡାଇ ମାରିବ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଆଜି ଆଉ ଏକ ଲଘୁ ଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ଆଗକୁ ବର୍ଷାର ପରିମାଣ ଆହୁରି ବଢିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଫଳରେ ରାଜ୍ୟର ବିଭୀନ୍ନ ସ୍ଥାନରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଖରା ଦିନରେ ଛତିଶଗଡ଼ ପଟରୁ ଓଡ଼ିଶାକୁ ବୁନ୍ଦାଏ ପାଣି ଆସି ନଥିଲା । ବର୍ଷା ଦିନେ ପ୍ରବଳ ବର୍ଷା କାରଣରୁ ଛତିଶଗଡ଼ରେ ମହାନଦୀ ଫୁଲୁଥିବାରୁ ନଦୀ ଶଜ୍ୟାରେ ଥିବା ସମସ୍ତ ଡ୍ୟାମ୍ ଏବଂ ବ୍ୟାରେଜ୍ ଗେଟ୍ ଖୋଲି ଓଡ଼ିଶାକୁ ବୁଡାଇବା ଲାଗି ମନସ୍ତ କରିଛି ଛତିଶଗଡ଼ ।

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ପାଇଁ ଚାପ ପଡ଼ୁଛି। ହୀରାକୁଦର ଅଧିକ ଗେଟ୍ ଖୋଲିବା ପାଇଁ ଚାପ ପକାଉଛନ୍ତି।’ କିନ୍ତୁ ଆମେ ଆମର ସ୍ଥିତି ଦେଖି ନିଷ୍ପତ୍ତି ନେବୁ ବୋଲି ଇଆଇସି କହିଛନ୍ତି। ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ଛୁଟି ବାତିଲ କରି ଆଲର୍ଟ ମୋଡରେ ରଖାଯାଇଛି। ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଏବେ ହୀରାକୁଦ ଜଳଭଣ୍ଡାରକୁ ବହୁଳ ମାତ୍ରାରେ ପାଣି ପ୍ରବେଶ କରୁଛି। ହୀରାକୁଦର ବର୍ତ୍ତମାନ ଜଳସ୍ତର ୬୧୭.୦୮ ଫୁଟ୍ ରହିଛି। ଏବେ ଘଣ୍ଟାପ୍ରତି ୪ ଲକ୍ଷ ୪୯ ହଜାର କ୍ୟୁସେଜ ଜଳ ପ୍ରବେଶ କରୁଥିବା ବେଳେ ବନ୍ୟା ଜଳକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ହୀରାକୁଦର ୨୮ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି। ସେହିପରି ଆଖୁଆପଦାରେ ବିପଦ ସଙ୍କେତ ଟପିଛି ବୈତରଣୀ ନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଛି।

ସେପଟେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଜି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ପରବର୍ତ୍ତୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ଏହା ପରିଣତ ହେବ। ଆଗାମୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି୧୬ ଜିଲ୍ଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.