fbpx

ଅକ୍ସିଜେନ୍ ଟ୍ୟାଙ୍କର୍ ଏବଂ କୋଭିଡ୍ ମେଡିସିନ୍ ଆଦିରୁ ଶୁଳ୍କ ଛାଡ କରିବାକୁ ମୋଦୀଙ୍କ ପାଖକୁ ଚିଠି ଲେଖିଲେ ମମତା

କୋଲକାତା, ୯/୦୫(ଓଡିଶା ଭାସ୍କର): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଅକ୍ସିଜେନ୍ ସିଲିଣ୍ଡର, ଔଷଧ ଓ ବିଭିନ୍ନ ଉପକରଣ ଉପରେ କେନ୍ଦ୍ର ସରକାର ଜିଏସଟି ସମେତ ଅନ୍ୟାନ୍ୟ ଶୁଳ୍କ ଲାଗୁ କରିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଥିବା ବେଳେ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । କରୋନା ସଂକ୍ରମିତ ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ଉପକରଣ, ଅକ୍ସିଜେନ୍ ସିଲିଣ୍ଡର ଏବଂ ଔଷଧ ଉପରୁ ସମସ୍ତ ପ୍ରକାର ଶୁଳ୍କ ଛାଡ଼ କରିବାକୁ ମମତା ଚିଠିରେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଦେଶର ବହୁ ସଂଗଠନ, ବ୍ୟକ୍ତି ବିଶେଷ, ବେସରକାରୀ ସଂସ୍ଥା କରୋନା କାଳରେ ରୋଗୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ସେମାନେ ଅକ୍ସିଜେନ୍ ସିଲିଣ୍ଡର ଠାରୁ ଆରମ୍ଭ କରି ବିଭିନ୍ନ ମେଡିସିନ୍, ଅକ୍ସିଜେନ୍ କନ୍ସେନ୍ଟ୍ରେଟର, କ୍ରାୟୋଜେନିକ ଷ୍ଟୋରେଜ ଟ୍ୟାଙ୍କ୍, କଣ୍ଟେନର ଆଦି ଯୋଗାଇ ଦେଉଛନ୍ତି । ଅନେକ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି । ତେବେ ସେମାନେ କରୋନା ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ସମସ୍ତ ସାମଗ୍ରୀ କ୍ରୟ ସମୟରେ ଆମଦାନୀ ଶୁଳ୍କ, ଏସଜିଏସଟି, ସିଜିଏସଟି, ଆଇଜିଏସଟି ଆଦି ପ୍ରଦାନ କରୁଛନ୍ତି । ତେଣୁ ଏଗୁଡ଼ିକୁ ଛାଡ଼ କରିବା ଲାଗି ଦାନ ଦେଉଥିବା ବ୍ୟକ୍ତି ଓ ସଂଗଠନ ଦାବି କରୁଥିବା ମମତା ଚିଠିରେ ଲେଖିଛନ୍ତି ।

ସେ ଚିଠି ମାଧ୍ୟମରେ କହିଛନ୍ତି ଯେ, ଶୁଳ୍କ ଛାଡ କରିବା ଦ୍ୱାରା ଚିକିତ୍ସାଜନିତ ଜରୁରୀ ଉପକରଣର ଯୋଗାଣରେ କୌଣସି ପ୍ରକାରର ସମସ୍ୟା ରହିବ ନାହିଁ । ଏଥିସହିତ ଯଦି ଏହି ସବୁ ଠିକ୍ ଭାବରେ ଯୋଗଣ ହୋଇ ପାରିବ ତେବେ ଭାରତରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୃଢ଼ ହୋଇ ପାରିବ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି । ମମତା ବାନାର୍ଜୀ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ ଗ୍ରହଣ କରିବା ପରେ କରୋନା ସଙ୍କଟକୁ ନେଇ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ତୃତୀୟ ଚିଠି ।

Get real time updates directly on you device, subscribe now.