fbpx
BJD SKY
BJD SKY

କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଜାତୀୟ ପୁରସ୍କାର, ସ୍ପୋର୍ଟ୍ସଷ୍ଟାର ଆସେସ୍ ଆୱାର୍ଡ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

BJD

ମୁମ୍ବାଇ/ଭୁବନେଶ୍ୱର,୨୭ା୨ (ବ୍ୟୁରୋ): କ୍ରୀଡ଼ାବିତମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇବା ଓ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ସନ୍ଧ୍ୟାରେ ମୁମ୍ବାଇଠାରେ ଆୟୋଜିତସ୍ପୋର୍ଟ୍ସଷ୍ଟାର ପକ୍ଷରୁ ଏକ କାର୍ଯ୍ୟକ୍ରମରେ ସ୍ପୋର୍ଟ୍ସଷ୍ଟାର ଆସେସ୍ ଆୱାର୍ଡ ଗ୍ରହଣ ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ସେ କହିଥିଲେ ଯେ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ାବିତମାନଙ୍କ ଅବଦାନକୁ ମର୍ଯ୍ୟାଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ । ଏହା ଆମର ଆଗାମଦିନର ପ୍ରତିଭାବାନ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବ ।

ସେ ଆହୁରି କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ଆମେ ବିପୁଳ ପୁଞ୍ଜି ବିନିଯୋଗ କରୁଛୁ । ଯୁବ ସମାଜପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ଆମ ଭବିଷ୍ୟତ ସମ୍ବଳର ବିନିଯୋଗ । ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡ଼ାବଜେଟ୍‌ ୧୦ଗୁଣବୃଦ୍ଧି ପାଇଛି । ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨ଶହ କୋଟିରୁ ଅଧିକ ରହିଛି । ହକି ବିଶ୍ୱକପ୍ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳିମାନଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା ସହ ପ୍ରତିଯୋଗିତା ଜରିଆରେ ଖେଳାଳିମାନଙ୍କ ପ୍ରତିଭାକୁ ବିକଶିତ କରିବାକୁ ଉଦ୍ୟମ କରୁଛୁ । ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଜୟଯାତ୍ରାରେ ସାମିଲ ହେବାପାଇଁ ସେ ସମସ୍ତଙ୍କୁ ନିବେଦନ କରିବା ସହ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡ଼ାପାଇଁ ବିଶ୍ୱସ୍ତରରେ ଗୌରବ ହାସଲ କରିପାରିବା ବୋଲି ସେ କହିଥିଲେ ।

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡ଼ାକ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗିତା, କୋଚିଂ, ଭିତ୍ତିଭୂମି ଏବଂ ପ୍ରତିଭାଧର କ୍ରୀଡ଼ାବିତଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡ଼ିଶାର ସ୍ପୋର୍ଟ୍ସ ମଡେଲ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ମୁମ୍ବାଇଠାରେ ହିନ୍ଦୁ ଗ୍ରୁପ୍‌ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିନ୍ଦୁର ସମ୍ପାଦକ ସୁରେଶ ନମ୍ବଥ ଏବଂ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନୀଲ ଗାଭାସ୍କରଙ୍କଠାରୁ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହାକୁ ସେ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ ମଧ୍ୟ କରିଥିଲେ ।

May be an image of 2 people and people standing

ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ କ୍ରୀଡ଼ାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳି ଭଗବତ, ବାଇଚୁଙ୍ଗ ଭୁତିଆ, ଏସଏମ ସୌମ୍ୟ ଓ ବିଶ୍ୱନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ । ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟିଥିଲେ । ଆଗାମୀ ଦିନରେ ରିଲାଏନ୍ସ ଗ୍ରୁପ୍ ଓଡ଼ିଶାରେ ପୁଞ୍ଜିନିବେଶ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ମୁକେଶଙ୍କୁ ହକିର ଜର୍ସି ମଧ୍ୟ ଉପହାର ଦେଇଥିଲେ । ସେହିଭଳି ସିଏଟ୍ ଗ୍ରୁପ୍‌ର ଅନନ୍ତ ଗୋଏଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

Get real time updates directly on you device, subscribe now.