fbpx

କେନ୍ଦ୍ରର ଅବହେଳା: ଚାଷୀଙ୍କୁ ସାର ଯୋଗାଇବା ଦାବିରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଅବହେଳା କରୁଛି କେନ୍ଦ୍ର । ଚାଷୀଙ୍କୁ ସାର ଯୋଗାଇବା ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସାର ଯୋଗାଇବା ନେଇ ପୁଣିଥରେ କେନ୍ଦ୍ର ଦେଖାଇଛି ଉଦାସୀନତା। ଫଳରେ ଖରିଫ ବେଉଷଣ ସମୟରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁଁ ଫସଲ ଉତ୍ପାଦନ ପରିମାଣ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି।

ପୂର୍ବ ବର୍ଷ ଗୁଡିକରେ ଓଡ଼ିଶା ଯେପରି ସାର ସଙ୍କଟର ସମ୍ମୁଖୀନ ହୋଇଥିଲା , ଚଳିତବର୍ଷ ଅନୁରୂପ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଦୃଢ ଦାବି କରିଛନ୍ତି। ଚାଷୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସାର ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବିୟଙ୍କୁ ତୁରନ୍ତ ଓଡ଼ିଶା କୋଟାରେ ସାର ଯୋଗାଇବା ପାଇଁ ଚିଠି ଲେଖିଛନ୍ତି। ଚଳିତ ଖରିଫ୍‌ ଋତୁରେ ଡିଏପ୍‌, ଓମ୍‌ଓପି ଭଳି ସାର ଯୋଗାଣ ଆବଶ୍ୟକତା ଠାରୁ ବହୁତ କମ୍‌ ରହିଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ନୁଖୀନ ହେଉଥିବା ଓଡ଼ିଶାର ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ତେଣୁ କେନ୍ଦ୍ର ସରକାର ଠିକମା ସମୟରେ ଆବଶ୍ୟକତାକୁ ଦେଖି ରାଜ୍ୟକୁ ସାର ଯୋଗାଇ ଦେବା ଆବଶ୍ୟକ।

ଅନ୍ୟପଟେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଠିକ୍ ସମୟରେ ଅନୁଦାନ ଯୋଗାଇ ଦେଉନଥିବାରୁ ଅନେକ ସମସ୍ୟା ଦେଖାଦେଉଛି । କେନ୍ଦ୍ର ସରକାର ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ପରି ସିଙ୍ଗଲ ୱିଣ୍ଡୋକୁ ବାହାନା କରି ଏ ବାବଦରେ ଯୋଗାଇ ଦେଉଥିବା ସହାୟତା ରାଶି ପ୍ରଦାନରେ ବିଳମ୍ବ କରୁଥିବାରୁ ଅସୁବିଧା ସୃଷ୍ଟି ହେଉଛି । ତେଣୁ ରାଜ୍ୟ ସରକାର ଏ ବାବଦ ବ୍ୟୟ ନିଜେ ବହନ କରିବେ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ବିଭିନ୍ନ ଏକାଉଣ୍ଟକୁ ୨୦୦ କୋଟି ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ସ୍କୁଲ୍ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବାବେଳେ ୫ ମାସ ହେବ ସେଥିରେ ଅଚଳାବସ୍ଥା ଦେଖାଦେଇଛି । ଫଳରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ନିଜ ପ୍ରୟାସରେ ଉଦ୍ୟମ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.