ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟର ୨୧ ଶହ ‘ମିଶା’ ବନ୍ଦୀ ପାଇବେ ପେନସନ୍

ଭୁବନେଶ୍ୱର,୨୬ା୩: ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀମାନଙ୍କୁ ମାସିକ ପେନସନ ପ୍ରଦାନ ସମ୍ବନ୍ଧରେ ଘୋଷଣା କରିଛନ୍ତି ।

୨୫ ଜୁନ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ୟ୍ୟନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ MISA, DIR ଏବଂ DISIR ପ୍ରଭୃତି ଆଇନ ବଳରେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ସରକାରଙ୍କ ଦ୍ୱାରା ମାସିକ ପେନସନ ଦେବାପାଇଁ ଗତ ସ୍ୱାଧୀନତା ଦିବସରେ ଘୋଷଣା କରାଯାଇଥିଲା ।  ସେହି ଘୋଷଣା ମୁତାବକ, ସରକାରଙ୍କ ଦ୍ୱାରା ଏକ ସଂକଳ୍ପ ପତ୍ର ୧୩ ଜାନୁୟାରୀ ୨୦୨୫ ତାରିଖରେ ଜାରି କରାଯାଇଥିଲା । ସେହି ସଂକଳ୍ପ ପତ୍ରରେ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀ ହୋଇଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲାପାଳମାନଙ୍କ ନିକଟରେ ଆବେଦନ କରିବାକୁ ଘୋଷଣା କରାଯାଇଥିଲା । ସମ୍ପୃକ୍ତ ଜିଲ୍ଲାପାଳମାନେ ବନ୍ଦୀମାନଙ୍କଠାରୁ ପ୍ରାପ୍ତ ହୋଇଥିବା ଆବେଦନ ପତ୍ରଗୁଡିକୁ ଜିଲ୍ଲାସ୍ତରୀୟ କମିଟିରେ ତର୍ଜମା କରି ରାଜ୍ୟ ସ୍ତରୀୟ କମିଟିକୁ ପ୍ରେରଣ କରିଥାନ୍ତି ।

ଇତିମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତିକୁ ବିଚାରକରି ପ୍ରଥମ ପର୍ୟ୍ୟାୟରେ ଏକୋଇଶ (୨୧) ଜଣଙ୍କୁ ୦୧ ଜାନୁୟାରୀ ୨୦୨୫ ତାରିଖଠାରୁ ମାସିକ କୋଡ଼ିଏ ହଜାର ଟଙ୍କା ପେନସନ ଦେବା ପାଇଁ ରାଜ୍ୟସ୍ତରୀୟ କମିଟି ସୁପାରିଶ କରିଛନ୍ତି । ରାଜ୍ୟ ସରକାର ଇତିମଧ୍ୟରେ ଏହାକୁ ଅନୁମୋଦନ କରିଛନ୍ତି ।

MISA, DIR ଏବଂ DISIR ବନ୍ଦୀମାନଙ୍କଠାରୁ ଗ୍ରହଣ ହୋଇଥିବା ଅନ୍ୟ ଆବେଦନ ପତ୍ରଗୁଡିକୁ ବିଚାର କରାଯାଇ ପରବର୍ତ୍ତୀ ପର୍ୟ୍ୟାୟରେ ସେହିମାନଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।