୧.୨୭ ଲକ୍ଷ ପିଲା ଉଠାଇଲେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାର ଲାଭ, ସରକାର ଲଞ୍ଚ କଲେ ଆପ୍

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରିଛନ୍ତି ଏବଂ ଅଧିକରୁ ଅଧିକ କମ୍ପାନୀକୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ସାଂସଦମାନଙ୍କୁ ନିବେଦନ କରିଛନ୍ତି ।

ଏହି ଯୋଜନାର ପାଇଲଟ୍ ପ୍ରୋଜେକ୍ଟ, ଯାହା ୨୦୨୪-୨୫ ଆର୍ôଥକ ବର୍ଷରେ ଯୁବକମାନଙ୍କୁ ୧.୨୫ ଲକ୍ଷ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି, ତାହା ୩ ଅକ୍ଟୋବର ୨୦୨୪ ରେ ଆରମ୍ଭ ହୋଇଥିଲା । ସୋମବାର ଦିନ ଜାତୀୟ ରାଜଧାନୀରେ ଏହି ଆପ୍ ଲଞ୍ଚ କରିବା ପରେ ବିତ୍ତ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଏହି ଯୋଜନାର ଲକ୍ଷ୍ୟ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ସହରରୁ ଯୁବକମାନଙ୍କୁ ଆଣିବା ଏବଂ ଶିଳ୍ପ ପାଇଁ ଆବଶ୍ୟକୀୟ ଦକ୍ଷତା ଏବଂ ଚାକିରି ଉପଲବ୍ଧତାକୁ ବୁଝିବାରେ ସାହାଯ୍ୟ କରିବା ।

ଅଧିକରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରନ୍ତୁ :
ସେ କହିଛନ୍ତି ଯେ ଶିଳ୍ପର ଆଶା ଏବଂ ଆବଶ୍ୟକତା ଦୃଷ୍ଟିରୁ ଲୋକଙ୍କ ଅଭାବ ରହିଛି ଏବଂ ଏହି ଯୋଜନା ସେହି ବ୍ୟବଧାନକୁ ପୂରଣ କରିବା ପାଇଁ ଉଦ୍ଦିଷ୍ଟ । ଯୋଜନା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଶିଳ୍ପ ଉପରେ କୌଣସି ଚାପ ନାହିଁ ଏବଂ ଏଥିରେ କୌଣସି ହସ୍ତକ୍ଷେପ ନାହିଁ । ସୀତାରମଣ କହିଛନ୍ତି ଯେ ଏହି ଯୋଜନା ଜାତୀୟ ହିତ ପାଇଁ ଏବଂ ସେ ଅଧିକରୁ ଅଧିକ କମ୍ପାନୀକୁ ଏଥିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।