fbpx

ପାକିସ୍ତାନକୁ ପୁଣି ବୋକା ବନାଇଲା ଚୀନ: ଗ୍ୱାଦର ବନ୍ଦର ଦ୍ୱାରା ଲୋକଙ୍କ ମିଳୁନି ଲାଭ

ନୂଆଦିଲ୍ଲୀ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନକୁ ଚୀନ ପୁଣିଥରେ ବୋକା ବନାଇଛି । ପାକିସ୍ତାନର ଗ୍ୱାଦର ବନ୍ଦରରେ ଆର୍ଥିକ ଉନ୍ନତି ଆଣିବା ପାଇଁ ଚୀନ ପ୍ରତିଶ୍ରୁତି ଦେଇଥିଲା । ପାକିସ୍ତାନ ସରକାରଙ୍କୁ ବିଶ୍ୱାସ ଥିଲା ଗ୍ୱାଦର ବନ୍ଦରକୁ ଚୀନକୁ ହସ୍ତାନ୍ତର କଲେ ସେଠାକାର ବାସିନ୍ଦା ଉପକୃତ ହେବେ ଏବଂ ସେମାନଙ୍କୁ ଆର୍ଥିକ ସୁବିଧା ମିଳିବ । କିନ୍ତୁ ଏପରି କିଛି ହେଲା ନାହିଁ । ଏହା ଏକ ପ୍ରକାର ବନ୍ଦରର ବୁଝାମଣା ହୋଇ ରହିଗଲା, ଯାହାର ଆର୍ଥିକ ଲାଭ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ମିଳି ପାରିନାହିଁ ।

ମିଳିଥିବା ସୂଚନା ଅନୁସାରେ ଗ୍ୱାଦର ବନ୍ଦରର ବିକାଶ ପାଇଁ ଦୀର୍ଘ ୭ ବର୍ଷ ଧରି କାର୍ଯ୍ୟ ଚାଲୁ ରହିଛି । ଚୀନ ଏହି କାର୍ଯ୍ୟ ପାଇଁ ଅର୍ଥ ନିବେଶ କରୁଛି । କିନ୍ତୁ ଏହି କ୍ଷେତ୍ରର ଅଧିବାସୀଙ୍କୁ କୌଣସି ଲାଭ ମିଳିନାହିଁ । ସେହିପରି ଏଠାକାର ଲୋକମାନଙ୍କ ବିଶ୍ୱାସ ରହିଥିଲା ଯେ ବନ୍ଦର ନିର୍ମାଣ ହେବାପରେ ଆଖପାଖ ଅଞ୍ଚଳର ବିକାଶ ହେବ । କିନ୍ତୁ ଏହା ମଧ୍ୟ ହୋଇ ନଥିବା ଦେଖିବାକୁ ମିଳିଛି । ସମସ୍ତ ବିକାଶ କାର୍ଯ୍ୟ ବନ୍ଦର ପର୍ଯ୍ୟନ୍ତ ସୀମିତ ହୋଇ ରହିଯାଇଛି ।

ଗ୍ୱାଦରର ଜଣେ ସାମଜିକ କାର୍ଯ୍ୟକର୍ତ୍ତା ନାସିର ରହିମ କହିଛନ୍ତି ଯେ, ଗ୍ୱାଦରର ଯୁବପିଢୀ ଗତ ୨୦ ବର୍ଷ ଧରି ଗୋଟିଏ ସ୍ୱପ୍ନ ଆଶାରେ ବଡ଼ ହୋଇଛନ୍ତି ଯେ, କେବେ ଚୀନର ଅର୍ଥ ଗ୍ୱାଦରକୁ ଏକ ନୂଆ ରୂପ ଦେଇ ଦୁବାଇ ଏବଂ ସିଙ୍ଗାପୁରରେ ରୂପାନ୍ତରିତ କରିବ । କିନ୍ତୁ ଆଜି ଯେଉଁ ଚିତ୍ରକୁ ସେମାନେ ଦେଖୁଛନ୍ତି ତାହା ସେହି ସ୍ୱପ୍ନକୁ ଭାଙ୍ଗିବା ପାଇଁ ଯଥେଷ୍ଟ । ସେ ଏହା ମଧ୍ୟ କହିଛନ୍ତି ସମ୍ପୂର୍ଣ୍ଣ ସହର ଏକ ସୁରକ୍ଷା ବଳୟରେ ଘେରି ରହିଛି । ସ୍ଥାନୀୟ ଲୋକେ ବନ୍ଦରଗାହ ସହରକୁ ଯିବାକୁ ହେଲେ ବିଭିନ୍ନ ପ୍ରତିବନ୍ଧର ସାମ୍ନା କରିବାକୁ ପଡ଼ୁଛି । ରାଜନୈତିକ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଯେଉଁଭଳି ବନ୍ଦର କାର୍ଯ୍ୟର ବିକାଶ ହେଉଛି, ତାହା ସ୍ଥାନୀୟ ଲୋକଙ୍କୁ କ୍ଷତି ପହଞ୍ଚାଇବ ।

Get real time updates directly on you device, subscribe now.