fbpx

୬ ଦଶକ ପରେ ପ୍ରଥମଥର ପାଇଁ କମିଲା ଚୀନର ଜନସଂଖ୍ୟା: ଖୋଦ୍ ଡ୍ରାଗନ୍ କଲା ଘୋଷଣା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚୀନର ଜନସଂଖ୍ୟା ୬ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଇବାରେ ଲାଗିଛି । ଚୀନ୍ ନିଜେ ଏହା ଘୋଷଣା କରିଛି । ବେଜିଂର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ୨୦୨୨ ଶେଷରେ ଦେଶରେ ପୂର୍ବ ବର୍ଷ ତୁଳନାରେ ୮୫୦,୦୦୦ କମ୍ ଲୋକ ଥିଲେ । ରିପୋର୍ଟ ଅନୁଯାୟୀ, ଚୀନର ମୋଟ ଜନସଂଖ୍ୟା ୮୫୦,୦୦୦ ହ୍ରାସ ହୋଇ ୨୦୨୨ ମସିହାରେ ୧.୪୧୧୮ ବିଲିୟନ ହୋଇଛି, ଯାହା ଏକ ବର୍ଷ ପୂର୍ବେ ୧.୪୧୨୬ ବିଲିୟନ ଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ ମସିହାରେ ପ୍ରାୟ ୯.୫୬ ନିୟୁତ ଶିଶୁ ଜନ୍ମ ହୋଇଛନ୍ତି, ଯାହାକି ପୂର୍ବ ବର୍ଷ ୧୦.୬୨ ମିଲିୟନ ଥିଲା । ଏଥି ସହିତ ମୋଟ ୧୦.୪୧ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଛି, ଯାହାକି ନିକଟ ଅତୀତରେ ରେକର୍ଡ ହୋଇଥିବା ପ୍ରାୟ ୧୦ ନିୟୁତ ତୁଳନାରେ ସାମାନ୍ୟ ଅଧିକ । ତେବେ ୧୯୬୧ ମସିହାରେ ମହା ଦୁର୍ଭିକ୍ଷ ପରେ ଚୀନର ଜନସଂଖ୍ୟା ପ୍ରଥମ ଥର ହ୍ରାସ ପାଇଛି । ୨୦୨୧ ବିଷୟରେ କହିବାକୁ ଗଲେ, ସେହି ବର୍ଷ ଚୀନରେ ୧୦.୬ ନିୟୁତ ପିଲା ଜନ୍ମ ହୋଇଥିଲେ, ଯାହା ୨୦୨୦ ତୁଳନାରେ ୧୧.୫ ପ୍ରତିଶତ କମ୍ ଥିଲା । କିନ୍ତୁ ୨୦୨୨ ମସିହାରେ ପିଲାମାନଙ୍କର ଜନ୍ମ ହାରରେ ମଧ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ।

କରୋନାର ଶିକାର ହୋଇଛି ଚୀନ୍ :-
କରୋନା ଭାଇରସ୍ ଚୀନକୁ ଭାଙ୍ଗି ସାରିଛି । ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେଣି । ଦେଶର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଧ୍ୱଂସ ହୋଇଛି । ଗତ ତିନିବର୍ଷ ଧରି ଚୀନର କଠୋର କୋଭିଡ ପ୍ରତିବନ୍ଧକ ଦେଶର ଲୋକଙ୍କୁ ସନ୍ତାନ ପ୍ରସବ ନକରିବାକୁ ବାଧ୍ୟ କରିଛି । ଡାକ୍ତରଖାନାଗୁଡ଼ିକରେ କରୋନା ରୋଗର ମା ’ଏବଂ ଶିଶୁମାନଙ୍କୁ ଡାକ୍ତରଙ୍କଠାରୁ ଦୂରରେ ରଖିଥିଲେ । ଯାହାର ପ୍ରଭାବ ଏହି ରିପୋର୍ଟରେ ଦେଖିବାକୁ ମିଳିଛି ।

୧୯୮୦ ମସିହାରେ ଚୀନ୍ ୱାନ୍ ଚାଇଲ୍ଡ ପଲିସି ଲଞ୍ଚ କରିଥିଲା । ଏହି ଯୋଜନା ଯୋଗୁଁ ଚୀନର ଜନସଂଖ୍ୟାରେ ବହୁତ ହ୍ରାସ ଘଟିଥିଲା । ଏବଂ ନିକଟ ଅତୀତରେ ଚୀନ୍ ମହିଳାମାନଙ୍କୁ ସର୍ବାଧିକ ତିନୋଟି ସନ୍ତାନ ଜନ୍ମ ଦେବାକୁ ଅନୁମତି ଦେଇଥିଲା । ତଥାପି ହାରାହାରି ଜନ୍ମ ହାର ମାତ୍ର ୧.୨ ରହିଛି । ଉଲ୍ଲେଖନୀୟ ବିଷୟ ହେଉଛି, ଏପ୍ରିଲ ମଧ୍ୟଭାଗରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନକୁ ଅତିକ୍ରମ କରିବ ବୋଲି କଳ୍ପନାଜଳ୍ପନା ଚାଲିଛି । ଏଥିସହ ଏହା ଦୁନିଆର ସବୁଠାରୁ ଜନବହୁଳ ଦେଶ ହେବ ।

Get real time updates directly on you device, subscribe now.