fbpx

କରାଚିର କେଉଁ ସ୍ଥାନରେ ଲୁଚିଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ? ଭଣଜା କହିଲା ଠିକଣା

ନୂଆଦିଲ୍ଲୀ: ୨୦୨୨ ସେପ୍ଟେମ୍ବରରେ ଏନଆଇଏ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରଙ୍କ ପୁଅ ଅଲିଶାହର ବୟାନ ରେକର୍ଡ କରିଥିଲା, ଯେଉଁଥିରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ଦାଉଦ ଇବ୍ରାହିମ୍ ଏବଂ ଡି କମ୍ପାନୀ ସହ ସମ୍ବନ୍ଧ ରଖିଥିବା ମାମଲାରେ କିଛି ସମୟ ପୂର୍ବରୁ ମୁମ୍ବାଇରେ ଏନଆଇଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଏଥିରେ ଅନେକ ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଏନଆଇଏର ପଚରାଉଚରା ସମୟରେ ଏହି ମାମଲା ସହ ଜଡ଼ିତ ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ପାରକରଙ୍କ ପୁଅ ଅଲିଶାହ ଇବ୍ରାହିମ ପାରକରଙ୍କ ବୟାନ ରେକର୍ଡ କରାଯାଇଛି । ସେହି ସମୟରେ ଅଲିଶାହ କହିଥିଲେ କି, ଦାଉଦ ଇବ୍ରାହିମ କରାଚିର ପ୍ରତିରକ୍ଷା ଅଞ୍ଚଳରେ ଲୁଚିଛି । ଅଲିଶାହଙ୍କ ବୟାନ ଅନୁଯାୟୀ, ଦାଉଦ ଇବ୍ରାହିମ ବର୍ତ୍ତମାନ କରାଚିର ପ୍ରତିରକ୍ଷା ଅଞ୍ଚଳରେ ଅବଦୁଲ୍ଲା ଗାଜୀ ବାବା ଦରଗାହର ପଛରେ ରହୀମ ଫାକିଙ୍କ ପାଖରେ ରହୁଛି ।

ଅଲିଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଦାଉଦ ଇବ୍ରାହିମ ଦ୍ୱିତୀୟ ବିବାହ କରିଛି । ଦାଉଦ ଇବ୍ରାହିମର ଦ୍ୱିତୀୟ ପତ୍ନୀ ପାକିସ୍ତାନର ଏକ ପଠାନ ପରିବାରର ବୋଲି ଜଣାପଡିଛି । ଏନଆଇଏ ସୂତ୍ର ଅନୁଯାୟୀ, ଦାଉଦ ଇବ୍ରାହିମ ମଧ୍ୟ ସମାନ କଥା କହୁଛନ୍ତି ଯେ, ସେ ଦ୍ୱିତୀୟ ଥର ବିବାହ କରିବା ପାଇଁ ପ୍ରଥମ ପତ୍ନୀ ମହଜବିନଙ୍କୁ ଛାଡପତ୍ର ଦେଇଛି, କିନ୍ତୁ ଅଲିଶାହଙ୍କ ବୟାନ ଅନୁଯାୟୀ ଏହା ଆଦୌ ନୁହେଁ ।

ଏନଆଇଏକୁ ଦିଆଯାଇଥିବା ବୟାନରେ ଆଲିଶାହ କହିଛନ୍ତି ଯେ, ଦାଉଦ ଇବ୍ରାହିମଙ୍କ ପ୍ରଥମ ପତ୍ନୀ ମହଜବିନଙ୍କ ସହ ଅଲିଶାହଙ୍କ ସାକ୍ଷାତ ଜୁଲାଇ ୨୦୨୨ ରେ ଦୁବାଇରେ ହୋଇଥିଲା । ସେତେବେଳେ ଅଲିଶାହ ଦାଉଦ ଇବ୍ରାହିମଙ୍କ ଦ୍ୱିତୀୟ ବିବାହ ବିଷୟରେ ଜାଣିବାକୁ ପାଇଲେ । ଅଲିଶାହଙ୍କ କହିବାନୁସାରେ, ଦାଉଦ ଇବ୍ରାହିମଙ୍କର ପ୍ରଥମ ପତ୍ନୀ ମହଜବିନ୍ ପ୍ରତ୍ୟେକ ପର୍ବ ଓ ଉତ୍ସବରେ ଭାରତରେ ଥିବା ସମ୍ପର୍କୀୟଙ୍କ ସହ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରନ୍ତି ।

Get real time updates directly on you device, subscribe now.