fbpx

ଶୁଭେନ୍ଦୁ ଅଧିକାରୀଙ୍କ ଘରେ ସିଆଇଡି ଚଢ଼ଉ, ବଢ଼ିଲା ଅଡୁଆ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ତଦନ୍ତକାରୀ ସଂସ୍ଥାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କେନ୍ଦ୍ର ସରକାର ସିବିଆଇକୁ ଅସ୍ତ୍ର କରି ବିପକ୍ଷ ନେତାଙ୍କୁ ହଇରାଣ କରୁଥିବାର ଅଭିଯୋଗ ହେଉଥିବା ବେଳେ ଟିଏମସି ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ପୂର୍ବତନ ଟିଏମସି ସଦସ୍ୟ ଶୁଭେନ୍ଦୁ ଅଧିକାରୀ । ୩ ବର୍ଷ ପୁରୁଣା ମାମଲାକୁ ପୁନର୍ବାର ଖୋଲାଯାଇ ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ୨୦୧୮ର ଏକ ମାମଲାକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ଘରେ ରେଡ୍ କରିଛି ସିଆଇଡି । ଶନିବାର ପୂର୍ବ ମେଦିନୀପୁରରେ ରହିଥିବା ଅଧିକାରୀଙ୍କ ବାସଭବନରେ ସିଆଇଡି ଚଢାଉ କରିଛି । ୨୦୧୮ରେ ଅଧିକାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଅଧିକାରୀ ଆତ୍ମହତ୍ୟା କରିଥିଲେ । ନିକଟରେ ଉକ୍ତ ଅଫିିସରଙ୍କ ପତ୍ନୀ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଭାର ସିଆଇଡି ହାତକୁ ଯାଇଛି ।

ଅଭିଯୋଗ ପରେ ଶୁକ୍ରବାର ସିଆଇଡି ଟିମ୍ ମୃତକ ସୁରକ୍ଷା କର୍ମୀ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ସହକର୍ମୀଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲେ । ସେମାନଙ୍କ ଠାରୁ ସୂଚନା ମିଳିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ଘରେ ଚଢାଉ କରିଥିଲା ସିଆଇଡି । ଏହା ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବ ମେଦିନୀପୁର ବାସଭବନ ପାଖରେ ରହୁଥିବା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମୀଙ୍କୁ ଜେରା କରାଯାଇଥିଲା । ତା ସହିତ ଶୁଭେନ୍ଦୁଙ୍କ ଭାଇ ଦିବ୍ୟେନ୍ଦୁ ତଥା ଟାମଲୁକ ସାଂସଦ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଉକ୍ତ ମାମଲାରେ ଜେରା କରାଯାଉଛି ।

ରାଜ୍ୟ ପୋଲିସ ଅଫିସର ଚକ୍ରବର୍ତ୍ତୀ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୮ରେ ଶୁଭେନ୍ଦୁ ଟିଏମସି ସାଂସଦ ରହିଥିବା ସମୟରେ ଚକ୍ରବର୍ତ୍ତୀ କଣ୍ଠି ଥାନାରେ ଆତ୍ମହତ୍ୟା କରିଥିଲେ । ପଶ୍ଚିମବଙ୍ଗ ପୋଲିସ ମାମଲାର ପୁନର୍ବାର ତଦନ୍ତ ପାଇଁ ସୂପର୍ଣ୍ଣା ଚକ୍ରବର୍ତ୍ତୀ ମାମଲା ରୁଜୁ କରିଥିଲେ । ଚଳିତ ସପ୍ତାହରେ ମାମଲାର ତଦନ୍ତ ଭାର ସିଆଇଡି ହାତକୁ ଯାଇଥିଲା ।

Get real time updates directly on you device, subscribe now.