ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ କିଛି ଦିନ ତଳେ ବାଲିଆ ଜିଲ୍ଲା ଗସ୍ତରେ ଯାଇଥିଲେ । ତେବେ ସିଏମ୍ଓ ଅଫିସ୍ ପକ୍ଷରୁ ତାଙ୍କ କାର୍ଯ୍ୟକ୍ରମରେ ଏପରି ଜଣେ କର୍ମଚାରୀଙ୍କୁ ଡ୍ୟୁଟିରେ ରଖାଯାଇଥିଲା ଯାହାଙ୍କର ବହୁଦିନ ପୂର୍ବରୁ ମୃତ୍ୟୁ ହୋଇସାରିଛି । ଯେତେବେଳେ ଏହି କଥା ସାମ୍ନାକୁ ଆସିଲା ସେତେବେଳେ ଚାରିଆଡେ ଚହଳ ଖେଳି ଯାଇଥିଲା । ଏବେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି । ଏହି ମାମଲାରେ ଏବେ ମୁଖ୍ୟ ଚିକିତ୍ସା ଅଧିକାରୀ(ସିଏମଓ) କାର୍ଯ୍ୟାଳୟର ଜଣେ କିରାଣୀଙ୍କୁ ନିଲମ୍ବିତ କରିଦିଆଯାଇଛି ।
ସିଏମଓ ଡା. ବିଜୟପତି ଦ୍ୱିବେଦୀ କହିଛନ୍ତି ସଂପୃକ୍ତ କିରାଣୀ ବ୍ରିଜେଶ କୁମାର ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ବଡ ଧରଣର ତ୍ରୁଟି କରିଥିଲେ । ସେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଜଣେ ମୃତ କର୍ମଚାରୀଙ୍କ ଡ୍ୟୁଟି ରଖିଥିଲେ । ଏହାସହିତ ଖାଦ୍ୟପେୟ ବିଷୟରେ ଯାଞ୍ଚ କରିବା ଲାଗି କୌଣସି କର୍ମଚାରୀଙ୍କୁ ଡ୍ୟୁଟିରେ ରଖି ନ ଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ଗତ ନଭେମ୍ବର ୨୬ ତାରିଖରେ ଜିଲ୍ଲାର ବସନ୍ତପୁର ସ୍ଥିତ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟରେ ଆୟୋଜିତ ୫ମ ପ୍ରତିଷ୍ଠା ସମାରୋହରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ସାମିଲ ହୋଇଥିଲେ ।