fbpx

୨୧ ଦିନର ଅନଶନ ଶେଷ କଲେ ବିଶିଷ୍ଟ ପରିବେଶବିତ ସୋନମ ୱାଙ୍ଗଚୁକ୍‌: ଆଗକୁ ଲଢ଼େଇ ଜାରି ରହିବ…

ଲଦାଖ: କେବଳ ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆଜି ନିଜର ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା ଦାବିରେ ସେ ଅଖିଆ ଅପିଆ ବିକ୍ଷୋଭ କରୁଥିଲେ। ଆଜି ସେ ତାଙ୍କ ଅନଶନ ଶେଷ କରିଥିଲେ ହେଁ ଆଗକୁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।

ସେ କହିଛନ୍ତି, “ଲଦାଖର ସାମ୍ବିଧାନିକ ସୁରକ୍ଷା ଓ ଲୋକଙ୍କ ରାଜନୀତିକ ଅଧିକାରୀ ପାଇଁ ମୁଁ ଲଢ଼େଇ ଜାରି ରଖିବି।” ସୋନମ ୱାଙ୍ଗଚୁକ୍‌ ଆଜି ଅନଶନ ଶେଷ କରୁଥିବାରୁ କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ସେହିପରି ୱାଙ୍ଗଚୁକ ଅନଶନ ଭାଙ୍ଗି ଥିବା ବେଳେ କିଛି ମହିଳା ସଂଗଠନ ସମାନ ଦାବିରେ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି।

ସୂଚନା ଥାଉକି, ନିକଟରେ ୱାଙ୍ଗଚୁକ୍‌ କହିଥିଲେ ଯେ ଅନ୍ୟ ଆନ୍ଦୋଳନକାରୀଙ୍କ ସହ ସେ ଶୀଘ୍ର ଏକ ସୀମା ପଦଯାତ୍ରା କରିବାକୁ ଯାଉଛନ୍ତି ଯାହା ବାହ୍ୟ ଜଗତକୁ ବାସ୍ତବତା ସହ ଅବଗତ କରାଇବ। ମାର୍ଚ୍ଚ ୨୪ ରେ, କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ (କେଡିଏ) ମଧ୍ୟ ୱାଙ୍ଗଚୁକ୍‌ଙ୍କ ସହ ବିରୋଧ ପ୍ରଦର୍ଶନ ସହ ଅନଶନ ଆରମ୍ଭ କରିଛି।

ତେବେ ୱାଙ୍ଗଚୁକ୍‌ଙ୍କ ଦାବି ହେଉଛି ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସ୍ଥାନୀୟ ଲୋକଙ୍କ ପାଇଁ ଚାକିରି ସଂରକ୍ଷଣ, ଲେହ ଏବଂ କାର୍ଗିଲ ପାଇଁ ଗୋଟିଏ ସଂସଦୀୟ ଆସନ ଏବଂ ସମ୍ବିଧାନର ଷଷ୍ଠ ସୂଚୀ କାର୍ୟ୍ୟକାରୀ କରିବା। ଯାହାକୁ ନେଇ ସେ ଗତ ୨୧ ଦିନ ଧରି ଶୂନଠାରୁ କମ୍‌ ତାପମାତ୍ରାରେ ଲେହରେ ଅନଶନରେ ବସିଛନ୍ତି। ଅତ୍ୟଧିକ ଥଣ୍ଡା ସତ୍ତ୍ୱେ ସେମାନଙ୍କ ପ୍ରଦର୍ଶନରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

୨୦୧୯ ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ମାତ୍ରେ ଉଭୟ ରାଜ୍ୟର ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ସମାପ୍ତ ହୋଇଯାଇଥିଲା। କେନ୍ଦ୍ର ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେଇଛି କିନ୍ତୁ ଲଦାଖକୁ ଏକ ୟୁନିଅନ ଟେରିଟୋରୀ(କେନ୍ଦ୍ରଶାସିତ ଅଞ୍ଚଳ)ରେ ପରିଣତ କରିଛି। ୱାଙ୍ଗଚୁକ କହିଛନ୍ତି ଯେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଏହାର ଶାସନ କେନ୍ଦ୍ର ଦିଲ୍ଲୀରୁ ହେଉଛି। ଏହି କାରଣରୁ ଏଠାକୁ ଆସୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ କେବଳ ପରିବେଶକୁ ଖରାପ କରୁନାହାନ୍ତି, ବରଂ ଏଠାକାର ଲୋକଙ୍କ ବିକାଶ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ।

Get real time updates directly on you device, subscribe now.