fbpx
BSKY SKY
BSKY SKY

ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ଖୁବଶୀଘ୍ର ଆରମ୍ଭ ହେବ ଚୟନ ପ୍ରକ୍ରିୟା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଆରମ୍ଭ ହେବ । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯିବ ।

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବ ପୋର୍ଟାଲ’ ମାଧ୍ୟମରେ ପୁରସ୍କାର ପ୍ରକ୍ରିୟା ପରିଚାଳନା କରାଯିବ । ଖୁବଶୀଘ୍ର ଏଥିପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବ । ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ୱେବସାଇଟ୍ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା), ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ସମ୍ମିଳନୀ କକ୍ଷରେ ଏନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ, ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ଶିକ୍ଷକ, ଏମଆଇଏସ ଓ ଯୋଜନା ସଂଯୋଜକମାନେ ଯୋଗଦେଇ ପୁରସ୍କାର ସମ୍ପର୍କିତ ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ନେଇଥିଲେ । ବ୍ୟକ୍ତିଗତ ପୁରସ୍କାରରେ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେଣ୍ଟ ଆକାଡେମିକ ଆୱାର୍ଡ, ଷ୍ଟୁଡେଣ୍ଟ ଲିଡରଶିପ ଆୱାର୍ଡ ଓ ଷ୍ଟୁଡେଣ୍ଟ ମେରିଟ-କମ-ସ୍କଲାରଶିପ ଆୱାର୍ଡ ପ୍ରଦାନ କରାଯିବ । ଏଥିସହିତ ଶିକ୍ଷକ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ସିଆରସିସି ପୁରସ୍କାର, ବିଇଓ ଓ ଡିଇଓ ପୁରସ୍କାର ରହିଛି । ସେହିପରି ଆନୁଷ୍ଠାନିକ ପୁରସ୍କାରରେ ମାଧ୍ୟମିକ ସ୍କୁଲକୁ ଜିଲ୍ଲା, ବ୍ଲକ, ସ୍କୁଲ ଓ ଗ୍ରାମପଞ୍ଚାୟତ ସ୍ତରରେ ପୁରସ୍କୃତ କରାଯିବ । ପ୍ରାଥମିକ ସ୍କୁଲ ଓ ୩ଟି ଶ୍ରେଷ୍ଠ ଡିଆଇଇଟିକୁ ମଧ୍ୟ ପୁରସ୍କୃତ କରାଯିବ ।

Get real time updates directly on you device, subscribe now.