fbpx

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ: ପଞ୍ଚମ ଦିନରେ ୪୪୫ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ ଇତିମଧ୍ୟରେ ପଞ୍ଚମ ଦିନରେ ପହଞ୍ଚିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୪୫ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ପାଠ ହେଉ ବା ଖେଳ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ହାସଲ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ ଅବସରରେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ସ୍କୁଲଗୁଡ଼ିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ସକାରାତ୍ମକ ପ୍ରଭାବ ପକାଇଛି । ବର୍ତ୍ତମାନର ସ୍କୁଲଗୁଡ଼ିକରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେଉଥିବାରୁ ପିଲାଙ୍କ ପାଠପଢ଼ା ପୂର୍ବାପେକ୍ଷା ଅଧିକ ସହଜ ହୋଇଯାଇଛି । ଆଜିକାଲି ଇଣ୍ଟରନେଟ ମାଧ୍ୟମରେ ସମସ୍ତ ବିଷୟର ତଥ୍ୟ ସହଜରେ ମିଳିପାରୁଛି । ଏହାଦ୍ୱାରା ପାଠ ପଢ଼ିବା ନେଇ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି । ଏଥିସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ପ୍ରଦାନ କରାଯିବା ଫଳରେ ସ୍କୁଲ ଏବେ ପିଲାମାନଙ୍କର ମୁଖ୍ୟ ପସନ୍ଦର ସ୍ଥାନ ପାଲଟିଛି ।

ଆଜି ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ଦିବସରେ ମୁଖ୍ୟମନ୍ତ୍ରୀଙ୍କ କଥାବାର୍ତ୍ତା ସମୟରେ ପିଲାଙ୍କ ମଧ୍ୟରେ ଖୁସି ମନୋଭାବ ଦେଖିବାକୁ ମିଳିଥିଲା । ଏହି ଅବସରରେ ବାଲେଶ୍ୱର, ପୁରୀ, ନୟାଗଡ଼, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାର ଛାତ୍ରଛାତ୍ରୀମାନେ ସ୍କୁଲ ରୂପାନ୍ତରଣ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବେସରକାରୀ ସ୍କୁଲଠାରୁ ସେମାନଙ୍କର ସ୍କୁଲ ଏବେ ବହୁତ ଆଗରେ ବୋଲି ପିଲାମାନେ ମତ ଦେଇଥିଲେ ।

Get real time updates directly on you device, subscribe now.