ହାସ୍ୟାଭିନେତା ନରି ପଣ୍ଡାଙ୍କୁ ପିଟିଲେ ଯାତ୍ରାପାର୍ଟି ମାଲିକ

ଚଣ୍ଡିଖୋଲ,୨୯ା୩: ଯାତ୍ରାପାର୍ଟି ମାଲିକଙ୍କ ପିଛା ଛାଡୁନି ବିବାଦ । କିଛିଦିନ ତଳେ ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ନେଇ ବିବାଦ ଉଠିଥିବା ବେଳେ ଏବେ ପୁଣି ହାସ୍ୟାଭିନେତା ନରି ପଣ୍ଡାଙ୍କୁ ଜଣେ ଯାତ୍ରାପାର୍ଟି ମାଲିକ ପ୍ରବଳ ମାଡ଼ ମାରିଥିବା ଅଭିାଯୋଗ କରିଛନ୍ତି ନିଜେ ନରି । ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, ତାଙ୍କୁ ଉଲଗ୍ନ କରାଯାଇ ମାଡ଼ ମରାଯାଇଛି । ଚଣ୍ଡିଖୋଲ ଅଞ୍ଚଳରେ ଏକ ଢାବାରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ନରି ।

ସେ ଗତ ୩ ବର୍ଷ ହେଲା ଏକ ଯାତ୍ରା ପାର୍ଟିରେ କାମ କରୁଛନ୍ତି । ଆସନ୍ତା ସିଜିନରେ ସେ ଅନ୍ୟ ଏକ ଦଳକୁ ଯିବାକୁ ମନସ୍ଥ କରିଥିଲେ । ଅନ୍ୟ ଜଣେ ମାଲିକଙ୍କ ସହ ୧୬ ଲକ୍ଷରୁ ୧୮ ଲକ୍ଷ ଟଙ୍କାରେ ଚୁକ୍ତିବଦ୍ଧ ହେଲା । ନୂଆ ମାଲିକଙ୍କ ସହ କଥା ହୋଇ ସେ ଦୁଇଟି କିସ୍ତିରେ ପ୍ରାୟ ୧୦ ଲକ୍ଷ ଟଙ୍କା ଆଡଭାନ୍ସ ଆଣିଥିଲେ । ପୁଣି ଏକ କିସ୍ତିରେ ଟଙ୍କା ଦେବେ ବୋଲି ମାଲିକ ପ୍ରତିଶ୍ରୁତି ଦେଇଥିଲେ । ପୁରୁଣା ମାଲିକଙ୍କ ପାଖରେ କିଛି ଟଙ୍କା ମଧ୍ୟ ନରିଙ୍କୁ ଦେବାର ଥିଲା । ତେଣୁ ତୃତୀୟ କିସ୍ତି ମାଗିବା ବେଳକୁ ମାଲିକ ଆଉ ଧରାଛୁଆଁ ଦେଲେ ନାହିଁ ବୋଲି କହିଛନ୍ତି ନରି । ଏହି ସମୟ ମଧ୍ୟରେ ନରି ଏହି ନୂଆ ମାଲିକଙ୍କ ପାର୍ଟିକୁ ଯିବେ ବୋଲି ସବୁ ଆଡେ ପ୍ରଚାର ହୋଇ ସାରିଥିଲା । ଏହି ସମୟରେ ତୁଳସୀ ଯାତ୍ରା ପାର୍ଟିର ମାଲିକ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ନରି ଭାଙ୍ଗି ପଡ଼ିଛନ୍ତି । ଆଉ ଯାତ୍ରା କରିବେ ନାହିଁ ବୋଲି  ନରି  କହିଛନ୍ତି।