ଖର୍ଚ୍ଚ ହ୍ରାସ ପାଇବାରୁ ନଭେମ୍ବରରେ ଉତ୍ପାଦନ ବୃଦ୍ଧି କଲେ କମ୍ପାନୀ, ବଢ଼ିଲା ନୂତନ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଆମେରିକାଠାରୁ ଆରମ୍ଭ କରି ବ୍ରିଟେନ୍ ପର୍ଯ୍ୟନ୍ତ ଦେଶ ଏବେ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଗତି କରୁଛନ୍ତି । ଏଭଳି ସମୟରେ ଗତକାଲି ପ୍ରକାଶିତ ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈୟମାସିକରେ ଭାରତର ମଧ୍ୟ ଆର୍ଥିକ ବିକାଶ ଦର ହ୍ରାସ ପାଇଛି । ତେବେ ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତି ପାଇଁ ଏକ ଖୁସି ଖବର ଆସିଛି । ନଭେମ୍ବର ମାସରେ ଦେଶରେ ମହଙ୍ଗା ଦର ସାମାନ୍ୟ ହ୍ରାସ ପାଇଥିବାରୁ କମ୍ପାନୀ ମାନଙ୍କର ଉତ୍ପାଦନ ଖର୍ଚ୍ଚରେ ମଧ୍ୟ ହ୍ରାସ ଘଟିଛି ଏବଂ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି ।

ଏସ ଆଣ୍ଡ ପି ଗ୍ଲୋବାଲ ଗୁରୁବାର ଦିନ ଏହି ତଥ୍ୟ ପ୍ରକାଶ କରିଛି ଏବଂ କହିଛି ଯେ ଭାରତର ଉତ୍ପାଦନ କ୍ରୟ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମ୍‌ଆଇ) ନଭେମ୍ବରରେ ୫୫.୭ କୁ ବୃଦ୍ଧି ପାଇଛି ଯାହା ଅକ୍ଟୋବରରେ ୫୫.୩ ରୁ ଥିଲା । ତେବେ ଏଠାରେ ସବୁଠୁ ବଡ଼ କଥା ଏହା ଯେ, ପିଏମ୍‌ଆଇ ବୃଦଧିର ଅର୍ଥ ହେଉଛି କମ୍ପାନୀଗୁଡିକର ଉତ୍ପାଦନ ବୃଦ୍ଧି ପାଇଛି । ଯାହା ଦେଶରେ ରୋଜଗାର ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ ହେବ ।

ଲଗାତାର ୧୭ ମାସ ମାନ୍ୟୁଫାକଚରିଂ ପିଏମ୍‌ଆଇ ୫୦ ଉପରେ ରହିଚି । ଏସ ଆଣ୍ଡ ପି ଗ୍ଲୋବାଲ ନିର୍ଦ୍ଦେଶକ ପୋଲିଆନା ଡି ଲିମା କହିଛନ୍ତି, ଦରଦାମ୍‌ରେ ହ୍ରାସ ହେତୁ ଉତ୍ପାଦକ କମ୍ପାନୀଗୁଡିକ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ଘରୋଇ ବଜାରରେ ଯୋଗାଣ ବୃଦ୍ଧି ବ୍ୟତୀତ ଏହା ରପ୍ତାନି କ୍ଷେତ୍ରରେ ମଧ୍ୟ ଲାଭଦାୟକ ହେବ । ଏହି ସର୍ଭେରେ ଜଡିତ କମ୍ପାନୀଗୁଡିକ ଆଶା କରିଛନ୍ତି ଯେ ସେମାନଙ୍କ ଉତ୍ପାଦର ଚାହିଦା ବଢିବ, ଯେଉଁ କାରଣରୁ ଉତ୍ପାଦନ ୨୦୨୩ ମସିହାରେ ମଧ୍ୟ ବୃଦ୍ଧି ପାଇବ ।

ବୃଦ୍ଧି ପାଇଲା ନିଯୁକ୍ତି ସୁଯୋଗ।

କମ୍ପାନୀଗୁଡିକର ଉତ୍ପାଦନ ବୃଦ୍ଧି ହେବାର ଲାଭ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ପଡିଛି। ନଭେମ୍ବରରେ ନୂତନ ନିଯୁକ୍ତି ସୁଯୋଗ ବଢିଛି ଏବଂ ଏହା କ୍ରମାଗତ ୯ମ ମାସ ପାଇଁ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇଛି। ତେବେ ମୁଦ୍ରାସ୍ଫୀତି କଥା ଯଦି ଦେଖାଯାଏ, ଉତ୍ପାଦନ ମୂଲ୍ୟରେ ହ୍ରାସ ଘଟିଛି। ନଭେମ୍ବରରେ ଉତ୍ପାଦନ ଖର୍ଚ୍ଚ ମୂଲ୍ୟରେ ବୃଦ୍ଧି ହାର ୨୮ ମାସ ମଧ୍ୟରେ ସର୍ବନିମ୍ନ ରହିଛି।