fbpx

ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା, ପୁଣି ୧୩ ପଜିଟିଭ୍ ଚିହ୍ନଟ

କଟକ, ୨୧/୦୪ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଛନ୍ତି କୁମ୍ଭମେଳା ଫେରନ୍ତା । ମେଳାରୁ ଫେରିଥିବା ଶ୍ରଦ୍ଧାଳୁ ଏବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଥରେ କଟକରୁ ମେଳା ସହ ଜଡିତ ଥିବା ୧୩ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ରହିଛି । କଟକ ରେଳ ଷ୍ଟେସନ୍ ରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ହେଉଥିବା ବେଳେ ସେଥିରୁ ଏହା ଜଣାପଡିଛି । ଏନେଇ ସିଏମସି ପକ୍ଷରୁ ବୁଧବାର ସୁଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ସମାପନ କରିଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସେଠାକୁ ଯାଇଥିବା ଶ୍ରଦ୍ଧାଳୁ ମାନେ ରାଜ୍ୟକୁ ଫେରୁଛନ୍ତି । ତେଣୁ ଓଡିଶା ସରକାର କୁମ୍ଭମେଳା ଫେରନ୍ତାଙ୍କ ପାଇଁ କ୍ୱାରେନଣ୍ଟାଇନ୍ ବାଧ୍ୟତାମୁଳକ କରିଛନ୍ତି । ରାଜ୍ୟକୁ ଫେରୁଥିବା କୁମ୍ଭମେଳା ସହ ଜଡିତ ଥିବା ବ୍ୟକ୍ତି ତଥା ଯେକୌଣସି ବ୍ୟକ୍ତି ଯେଉଁ ମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କ ରେଳ ଷ୍ଟେସନ୍ ରେ ଆରଟିପିସିଆର୍ ଟେଷ୍ଟ ହେବା ସହ କ୍ୱାରେନଣ୍ଟାଇନ୍ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା ହେବା ବେଳେ ସେଠାରେ ରହି କାମ କରୁଥିବା ପ୍ରବାସୀ ମାନେ ରାଜ୍ୟକୁ ଫେରିବାରେ ଲାଗିଛନ୍ତି । ବିଭିନ୍ନ ଟ୍ରେନ୍ ଯୋଗେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରୁଛନ୍ତି । ତେଣୁ ସରକାର ନୁତନ ଗାଇଡଲାଇନ୍ ଜାରି କରିବା ସହ କଟକଣାକୁ କଡାକଡି କରିଛନ୍ତି । ଏଥିସହ ସବୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି ।

Get real time updates directly on you device, subscribe now.