କଂଗ୍ରେସ CWC ବୈଠକରେ ସୋନିଆ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଏବଂ ରାହୁଲଙ୍କୁ ଧନ୍ୟବାଦ କହିଲେ ଖଡ଼ଗେ

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ କଂଗ୍ରେସର ୱାର୍କିଂ କମିଟି ବୈଠକ ଆରମ୍ଭ ହୋଇଯାଇଛି । ଦିଲ୍ଲୀର ଅଶେକ ହୋଟେଲରେ ଅନୁଷ୍ଠିତ ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ କଂଗ୍ରେସର ବଡ଼ ବଡ଼ ନେତା ସାମିଲ ଅଛନ୍ତି । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, LoP, ଆଗାମୀ ସଂସଦ ଅଧିବେଶନରେ ସରକାରଙ୍କୁ ଘେରି ରହିଥିବା ପ୍ରସଙ୍ଗ ଏବଂ ରଣନୀତି ଏବଂ ଅନ୍ୟ ବିଷୟକୁ ନେଇ ଉକ୍ତ ବୈଠକରେ ଆଲୋଚନା ହେବ । ଅପରପକ୍ଷରେ କଂଗ୍ରେସ ସଂସଦୀୟ ବୈଠକ ମଧ୍ୟ ଅନୁଷ୍ଠିତ ହେବ ଯେଉଁଥିରେ ସମସ୍ତ ନବନିର୍ବାର୍ଚିତ ସାଂସଦ ଉପସ୍ଥିତ ରହିବେ ।

ବୈଠକ ପ୍ରାରମ୍ଭରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସମସ୍ତ ଦେଶର କଂଗ୍ରେସ କାର୍ମକର୍ତ୍ତା ଏବଂ ନେତାଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଜନତା ଏକଛତ୍ରବାଦୀ ଏବଂ ଅଣସମ୍ବିଧାନିକ ଶକ୍ତିର କଡ଼ା ଜବାବ ଦେଇଛନ୍ତି । କଂଗ୍ରେସକୁ ଲୋକମାନେ ବିଶ୍ୱାସ କରୁଛନ୍ତି । ଦେଶରେ ଭୋଟରମାନେ ୧୦ ବର୍ଷ ବିଜେପି ଶାସନକୁ ଅଣଦେଖା କରିଛନ୍ତି । ବିଜେପି ଏହି ଦେଶରେ ବିଭାଜନ ଏବଂ ଘୃଣାର ରାଜନୀତି ଛିଡ଼ା କରିଛି । ପ୍ରିତିକୂଳ ପରିସ୍ଥିିତି ଥିଲେ ମଧ୍ୟ ଆମେ ବିଜୟୀ ହୋଇଛୁ । ଏହା ସହ ଖଡ଼ଗେ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିର୍ବାଚନ ସଭମୟରେ ସକ୍ରିୟ ରହିବା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅପରପକ୍ଷରେ ଖଡ଼ଗେ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ତାଙ୍କ ପାଇଁ ଦେଶରେ ସମ୍ବିଧାନ ବିଷୟରେ ବିଚାର, ଆର୍ଥିକ ଅସମାନତା, ବେକାରୀ ସମସ୍ୟା ଏବଂ ସମାଜିକ ନ୍ୟାୟ ଭଳି ପ୍ରସଙ୍ଗ ସାମ୍ନାକୁ ଆସିଛି । ଏହା ବ୍ୟତୀତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପ୍ରଭାବ ଯୋଗୁଁ କଂଗ୍ରେସରେ ଭୋଟ୍ ଶେୟାର ଏବଂ ଆସନରେ ବୃଦ୍ଧି ଦେଖିବାକୁ ମିଳିଥିଲା । ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଆମେଥି ଏବଂ ରାୟବରେଲିରେ ପ୍ରଚାର କାର୍ଯ୍ୟରେ ସହଯୋଗ କରିବା ନେଇ ଧନ୍ୟବାଦ ଦେଇଛନ୍ତି । ଖଡ଼ଗେ ଇଣ୍ଡିଆ ମେଣ୍ଟର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ଆମ ମଧ୍ୟରେ ଆପୋସ ସହଯୋଗ ଏମିତି ବଜାୟ ରହୁ ।