fbpx

‘ରାହୁଲଜୀ ଆପଣ ବର ସାଜନ୍ତୁ, ଆମେ ସବୁ ବରଯାତ୍ରୀ ହୋଇଯିବାକୁ ପ୍ରସ୍ତୁତ’, ବିଜେପି ସମାଲୋଚନାର ଏଭଳି କିଛି ମଜାଳିଆ ଉତ୍ତର ରଖିଲେ ଲାଲୁ ପ୍ରସାଦ ଯାଦବ

Advertisement

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିପକ୍ଷ ଦଳରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ମତ ମତାନ୍ତର ଲାଗି ରହିଛି । ସର୍ବପ୍ରଥମେ କଂଗ୍ରେସ ଏହି ପଦ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି । କଂଗ୍ରେସ ନେତା ତାରିକ୍ ଅନୱର ରାହୁଲ ଗାନ୍ଧୀ ଏହି ପଦ ଲାଗି ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ମତ ରଖିଛନ୍ତି ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୁଦ୍ଧରେ ବିପକ୍ଷ ଦଳ ଜୋରଦାର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଜୁନ୍ ରେ ବିହାର ରାଜଧାନୀ ପାଟନାରେ ବିପକ୍ଷ ଦଳର ପ୍ରଥମ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦ୍ୱିତୀୟ ରାଉଣ୍ଡ ବୈଠକ ୧୭/୧୮ ଜୁଲାଇରେ ବେଙ୍ଗାଲୁରରେ ହେବ । ଏହା ପୂର୍ବରୁ ବିପକ୍ଷ ଦଳରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି କ୍ରମରେ କଂଗ୍ରେସ ନେତା ତାରିକ ଅନୱର ଏହି ପଦ ଲାଗି ରାହୁଲ ଗାନ୍ଧୀ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ମତ ଦେଇ ସାରିଛନ୍ତି । କେବଳ ଏତିକି ନୁହେଁ ଅନୱର ଲାଲୁ ଯାଦବଙ୍କ ଏକ ବୟାନର ଅର୍ଥକୁ ବ୍ୟାଖ୍ୟା କରି କହିଛନ୍ତି , ‘ବର ତ ରାହୁଲ ଗାନ୍ଧୀ ହିଁ ହେବେ ଓ ବାକିସବୁ ବରଯାତ୍ରୀ’ ।

୨୩ ଜୁନରେ ପାଟନାରେ ବିପକ୍ଷ ଦଳର ମହାବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଯେତେବେଳେ ସବୁ ଦଳର ଶୀର୍ଷ ନେତା ଏକ ପ୍ରେସ୍ କନଫରେନ୍ସର ଆୟୋଜନ କରିଥିଲେ ଏହି ସମୟରେ ମାହୋଲକୁ କିଛି ସମୟ ଲାଗି ହାଲ୍କା ଫୁଲକା କରିବା ଲାଗି ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ କଂଗ୍ରେସ ନେତା ତଥା ପୂର୍ବ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବିବାହ କରିବା ଲାଗି ପରାମର୍ଶ ଦେଇଥିଲେ । ଲାଲୁ ଏହି ସମୟରେ କହିଥିଲେ, ରାହୁଲଜୀ ଆପଣ ବିବାହ କରି ନିଅନ୍ତୁ । ଆମେ ସବୁ ବରଯାତ୍ରୀ ହୋଇ ଯିବାକୁ ପ୍ରସ୍ତୁତ ହୋଇ ରହିଛୁ । ଆପଣଙ୍କ ମା ସୋନିଆ ଗାନ୍ଧୀ ବି ଏହା ଚାହୁଁଛନ୍ତି । ଲାଲୁ ଯାଦବଙ୍କ ଏହି କଥା ଉପରେ ପୁରା ମହଲରେ ହାସ୍ୟଗୋଳ ଖେଳି ଯାଇଥିଲା ।
ଅନ୍ୟପକ୍ଷରେ କଂଗ୍ରେସ ପାର୍ଟି ମହାସଚିତ ତାରିକ ଅନୱର ଲାଲୁ ଯାଦବଙ୍କ ବୟାନର ରାଜନୈତିକ ସନ୍ଦେଶ ବ୍ୟାଖ୍ୟା କରିବାକୁ ଯାଇ କହିଥିଲେ ଲାଲୁଙ୍କ କହିବାର ଅର୍ଥ ଆପଣ(ରାହୁଲ) ବର ହୁଅନ୍ତୁ ଆମେ ସବୁ ବରଯାତ୍ରୀ ହେବୁ ଅର୍ଥାତ୍ ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମାନିବାକୁ ପ୍ରସ୍ତୁତ ।

ତେବେ ପାଟନାରେ ବିପକ୍ଷ ଦଳର ବୈଠକ ପୂର୍ବରୁ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଥିଲେ ଶୁଣିବାକୁ ମିଳୁଛି ନୀତିଶଜୀ ପାଟନାରେ ବାରାତ ପ୍ରସ୍ତୁତ କରୁଛନ୍ତି । ବାରାତରେ ଜଣେ ବର ତ ରହିଥାଏ । ତେବେ ୨୦୨୪ ଲାଗି ଏମାନଙ୍କ ବାରାତରେ ବର କିଏ ହେବ । ସେଠି ସବୁ ନେତା ତ ପ୍ରଧାନମନ୍ତ୍ରୀ ପଦ ଲାଗି ଦାବୀଦାର ଅଛନ୍ତି । ତେବେ ବିଜେପିର ଏପରି ପ୍ରଶ୍ନର ଉତ୍ତର ଲାଲୁ ପ୍ରସାଦ ଯାଦବ ଏପରି ମଜାଳିଆ ଢଙ୍ଗରେ ଦେଇଥିଲେ ବୋଲି କୁହାଯାଉଛି ।

 

Get real time updates directly on you device, subscribe now.