fbpx

‘ଦେଶ ପାଇଁ ଦାନ’ ନାମରେ ଲୋକଙ୍କୁ ଚାନ୍ଦା ମାଗୁଛି କଂଗ୍ରେସ: ୪୮ ଘଣ୍ଟାରେ ମିଳିଲାଣି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ: ‘ଦେଶ ପାଇଁ ଦାନ’ ନାମରେ କଂଗ୍ରେସ ପକ୍ଷରୁ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ କାର୍ୟ୍ୟକ୍ରମ ଜାରି ରହିଛି । ଡିସେମ୍ବର ୧୮ରୁ ଏହି ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ଆଜକୁ ତାହା ୪୮ ଘଣ୍ଟା ବିତିଲାଣି। ତେବେ ଏହି ୪୮ ଘଣ୍ଟା ମଧ୍ୟରେ କଂଗ୍ରେସକୁ କେତେ ଟଙ୍କା ଦାନ ମିଳିଛି ତାହା ଜାଣିବାକୁ ପ୍ରାୟ ସମସ୍ତେ ଉତ୍ସାହିତ।

ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ପାର୍ଟି ମାତ୍ର ୪୮ ଘଣ୍ଟା ମଧ୍ୟରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ୩ କୋଟି ଟଙ୍କା ସଂଗ୍ରହ କରିଛି। ଯେଉଁଥିରେ ଏପର୍ୟ୍ୟନ୍ତ ପ୍ରାୟ ୧,୧୩,୦୦୦ ଲୋକ ଦାନ କରିଛନ୍ତି। ତେବେ ପାର୍ଟି ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଅଧିକାଂଶ ଦାତା ୧୩୮ ଟଙ୍କା ଦାନ କରିଛନ୍ତି। କେବଳ ୩୨ ଜଣ ଲୋକ ୧.୩୮ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହା ସହ ୬୨୬ ଜଣ ୧୩,୦୦୦ ଏବଂ ୬୮୦ ଟଙ୍କା ଦାନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ଅଶୋକ ଗେହଲଟ, ସିପି ଯୋଶୀ, ନିରଞ୍ଜନ ପଟ୍ଟନାୟକ, ସୁଶୀଲ କୁମାର ସିନ୍ଦେ, ଟିଏସ ସିଂ ଦେଓ, ଜୟରାମ ରମେଶ ଏବଂ ପୱନ ଖେଡା ପ୍ରମୁଖ ଦଳକୁ ୧.୩୮ ଲକ୍ଷ ଟଙ୍କା ଲେଖାଏଁ ଦାନ କରିଥିବା ଜଣାପଡିଛି।

ଏଠାରେ କହି ରଖୁଛୁ ଯେ, ଏହି ଅଭିଯାନ ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ ପାଣ୍ଠି’ରୁ ଅନୁପ୍ରାଣିତ ହୋଇ ଆରମ୍ଭ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ସମାନସମ୍ବଳ ଓ ସୁଯୋଗ ବଣ୍ଟନ ମାଧ୍ୟମରେ ସମୃଦ୍ଧ ଭାରତ ଗଠନ କରିବା ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି। ହେଲେ ଅନ୍ୟପଟେ କୁହାଯାଉଛି ଯେ, ସାରା ଦେଶରେ କଂଗ୍ରେସର ସ୍ଥିତି ବହୁତ ଦୁର୍ବଳ ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏଭଳି ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି।

 

Get real time updates directly on you device, subscribe now.