fbpx

ଏଇଟା ଥାନା ନା ପରିବା ହାଟ: ପୋଲିସ ଏଠି ଚାପୁଡ଼ା ପରେ ଚାପୁଡ଼ା ଖାଉଛି, ସାଧାରଣ ଜନତାଙ୍କୁ ସୁରକ୍ଷା ଦେବ କିଏ

ନୂଆଦିଲ୍ଲୀ: ଦିଲ୍ଲୀର ଆଇନ ବ୍ୟବସ୍ଥା ପଦାରେ ପଡ଼ିଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି ଆନନ୍ଦ ବିହାର ଥାନାରେ ଘଟିଥିବା ବେଳେ କିଛି ଲୋକ ଜୋରଜବରଦସ୍ତ ଥାନାରେ ପଶି ପୋଲିସ କନଷ୍ଟେବଳଙ୍କୁ ମାଡ଼ ମାରିଛନ୍ତି । ଲୋକମାନେ ପୋଲିସକୁ ଡରିବେ କ’ଣ, ନିଜେ ପୋଲିସ ହାତଯୋଡ଼ି କ୍ଷମା ମାଗୁଛି । ଜଣେ ଯୁବକ ବେଞ୍ଚରେ ବସିଥିବା କନଷ୍ଟେବଳଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି ।

ଗୋଟିଏ ପଟେ କିଛି ଲୋକ ପୋଲିସକୁ ପିଟି ଚାଲିଛନ୍ତି, ଅନ୍ୟପଟେ କିଛି ଲୋକ ଏହି ଦୃଶ୍ୟର ଭିଡିଓ ଶୁଟ୍ କରୁଛନ୍ତି । ତେବେ ଭିଡିଓରେ ଯୁବକ ଯେଉଁ ପୋଲିସକୁ ପିଟୁଛନ୍ତି ତାଙ୍କର ନାମ ପ୍ରକାଶ ବୋଲି ଜଣାପଡ଼ିଛି । ସେ ଆନନ୍ଦ ବିହାର ପୋଲିସ ଷ୍ଟେସନରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଛନ୍ତି । କିଛିଦିନ ପୂର୍ବରୁ ଏହି ଘଟଣାଟି ଘଟିଥିଲେ ହେଁ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି ବୋଲି ଡିସିପି କହିଛନ୍ତି ।

ଅନେକ ସମୟରେ ଡ୍ୟୁଟିରେ ଥିବା ସମୟରେ ଖାକି ଉପରେ ଦୁର୍ବୃତ୍ତଙ୍କ ଜୁଲମ ଦେଖିବାକୁ ମିଳିଥାଏ । କିଛିଦିନ ତଳେ ଝାଡ଼ଖଣ୍ଡ, ହରିୟାଣା, ଗୁଜରାଟ ପରି ରାଜ୍ୟରେ କର୍ତ୍ତବ୍ୟରତ କିଛି ପୋଲିସଙ୍କ ଉପରେ ଗାଡ଼ି ଚଢ଼ାଇ ଅପରାଧୀମାନେ ସେମାନଙ୍କୁ ହତ୍ୟା କରିଥିଲେ । ଏପରିକି ଅନେକ ବିବାଦର ସମାଧାନ କରିବାକୁ ଯାଇ ନିଜେ ପୋଲିସ ମାଡ଼ ଖାଇ ଖାଲି ହାତରେ ଫେରିବାକୁ ପଡ଼ିଛି । ଆଜିର ସମୟରେ ଖାକିର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.