fbpx

ଓଡ଼ିଶାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି, ଅପରପକ୍ଷେ ସଂକ୍ରମଣ କମୁଛି, କ’ଣ ହୋଇପାରେ ଏହା ପଛର ପ୍ରକୃତ କାରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ସହ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ତେବେ କିଛିଦିନ ଧରି କରୋନା କଟକଣା ଜାରି ରହିବା ପରେ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଛି । ରାଜ୍ୟରେ ଦୈନିକ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ଦିନକୁ ଦିନ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ପଜିଟିଭ୍ ସଂଖ୍ୟା ହ୍ରାସ ପାଇବା ଓ ମୃତ୍ୟୁ ସଂଖ୍ୟା ବଢ଼ିବାକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି ।

ରାଜ୍ୟର ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଯେ, ଆଉ କିଛିଦିନ ପରେ ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସି ଆସିବ । ପାଖାପାଖି ୭ରୁ ୮ ଦିନ ମଧ୍ୟରେ ରାଜ୍ୟର ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟର ୬୩ ପ୍ରତିଶତ ଆଇସିୟୁ ଓ ୬୨ ପ୍ରତିଶତ ଭେଣ୍ଟିଲେଟର ରୋଗୀଙ୍କ ସେବାରେ ଲାଗିଛି । ପୂର୍ବ କେସ୍ ପାଇଁ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଆଉ କିଛିଦିନ ପର୍ଯ୍ୟନ୍ତ ଏହି ମୃତ୍ୟୁ ଜାରି ରହିବ । ସମସ୍ତ ଭ୍ୟାକ୍ସିନ୍ ଜୀବନ ରକ୍ଷାରେ ସହାୟକ ହେଉଛି । ୮୦ ପ୍ରତିଶତ, ୯୦ ପ୍ରତିଶତର କିଛି ଅର୍ଥ ନାହିଁ । ପ୍ରତ୍ୟେକ ଟିକା କରୋନା ବିରୋଧରେ ଲଢ଼େଇ କରିବାରେ ସକ୍ଷମ ଅଟେ । ଜନସାଧାରଣ ଏନେଇ ଅଧିକ ବ୍ୟସ୍ତ, ବିବ୍ରତ ହେବାର ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୪୫ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୬ ଜଣ ପ୍ରାଣ ହରାଇବା ସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.