fbpx

ପୁଣି ଭୟଙ୍କର ତାଣ୍ଡବ ରଚିବ କରୋନା! ୭ ଦିନରେ ୩୦ ଲକ୍ଷ ମାମଲା ଚିହ୍ନଟ, ୯୮୦୦ ରୁ ଅଧିକ ମୃତ

ନୂଆଦିଲ୍ଲୀ: ଚୀନ ସମେତ ସାରା ବିଶ୍ୱରେ କରୋନା ଆତଙ୍କ ଏବେ ବଢ଼ିବାରେ ଲାଗିଛି । ବଡଦିନ ଏବଂ ନୂଆବର୍ଷ ପାଳନ ପରେ ଜାପାନ,ଆମେରିକା,ଦକ୍ଷିଣ କୋରିଆ ଏବଂ ବ୍ରାଜିଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ ବିଗତ ୭ ଦିନ ମଧ୍ୟରେ ୩୦ଲକ୍ଷରୁ ଅଧିକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏହି ୭ ଦିନ ମଧ୍ୟରେ ୯୮୪୭ ଜଣ ମୃତ୍ୟୁବରଣ କରିଛନ୍ତି। କେବଳ ଜାପାନରେ ହିଁ ୨୧୮୮ ଜଣ ଲୋକଙ୍କ କରୋନା ପାଇଁ ଜୀବନ ଯାଇଛି ।

କରୋନା ମୃତ୍ୟୁ ସଂଖ୍ୟା ଉପରେ ନଜର ରଖୁଥିବା ସଂସ୍ଥା ୱାଲଡୋମିଟରର ସୂଚନା ଅନୁସାରେ ଗତ ୭ ଦିନ ମଧ୍ୟରେ, ସାରା ବିଶ୍ୱରେ ୩,୦୪୪,୯୯୯ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୯,୮୪୭ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ୨,୫୪୫,୭୮୬ ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି।

ଜାପାନ କରୋନାରେ ଅଧିକ ସଂକ୍ରମିତ । ଗତ ୧ ସପ୍ତାହରେ ଏଠାରେ ୧୦ ଲକ୍ଷ ମାମଲା ଦେଖିବାକୁ ମିଳିଛି। ଏହି ସମୟରେ ୨୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ କୋରିଆରେ ମଧ୍ୟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଠାରେ ୪୫୭,୭୪୫ ମାମଲା ଚିହ୍ନଟ ହୋଇଛି। ଏଥିସହ ୪୨୯ ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଆମେରିକାରେ, ୭ ଦିନରେ ୨୧୨,୦୨୬ ମାମଲା ଦେଖିବାକୁ ମିଳିଛି। ଗତ ୭ ଦିନ ମଧ୍ୟରେ କରୋନାରେ ୧୨୩୯ ଲୋକ ପ୍ରାଣ ହରାଇଛନ୍ତି। ବ୍ରାଜିଲରେ ୭ ଦିନରେ ୧୮୫,୯୪୭ ମାମଲା ଦେଖିବାକୁ ମିଳିଛି। ଯେତେବେଳେ କି ୧୦୧୫ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ଚୀନ୍‌ର ପଡୋଶୀ ତାଇୱାନରେ ୧୮୫୯୪୭ ମାମଲା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି। ହଂକଂରେ କରୋନାରେ ୨୯୧ ଜଣଙ୍କର ମୃତ୍ୟୁ ହୋଇଛି। ୧୬୪୧୮୨ ମାମଲା ଚିହ୍ନଟ ହେଇଛି ।

ଏହା ବ୍ୟତୀତ ଜର୍ମାନୀ (୧୫୭,୯୨୮), ଫ୍ରାନ୍ସ (୧୪୭,୫୮୪), ଆର୍ଜେଣ୍ଟିନା (୭୨,୫୫୮), ଇଟାଲୀ (୬୭,୨୨୮) ଏବଂ ଅଷ୍ଟ୍ରେଲିଆ (୪୬,୪୩୯) ରେ କରୋନା ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

Get real time updates directly on you device, subscribe now.