୨୨ ତାରିଖ ଅପରାହ୍ନ ୫ଟାଠୁ ମଦ ଦୋକାନ ବନ୍ଦ, ୫ ଦିନ ପାଇଁ ଡ୍ରାଏ ଡେ’ ଘୋଷଣା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖ ଠାରୁ ୨୬ ଯାଏଁ ୫ ଦିନ ପାଇଁ ସହରାଂଚଳର ମଦ ଦୋକାନଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ଏହି ପରିପ୍ରେକ୍ଷୀରେ ମଦ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ବିକ୍ରି ଓ ପରିବେଷଣ ଉପରେ କଟକଣା ଲାଗୁ ହେବ । ରାଜ୍ୟ ଅବକାରୀ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟ ଅବକାରୀ କମିଶନର ଆଶିଷ ସିଂ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆସନ୍ତା ୨୨ତାରିଖ ଅପରାହ୍ନ ୫ଟାରୁ ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମ(କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର)ରେ ଡ୍ରାଏ ଡେ’ ଘୋଷଣା କରି ମଦ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ।

ମାର୍ଚ୍ଚ ୨୨ତାରିଖ ଅପରାହ୍ନ ୫ଟାରେ ପୌର ନିର୍ବାଚନ ପ୍ରଚାର ଶେଷ ହେଉଥିବାବେଳେ ମାର୍ଚ୍ଚ ୨୪ତାରିଖରେ ଭୋଟ୍‌ ଓ ୨୬ତାରିଖରେ ଭୋଟ ଗଣତି ରହିଛି । ତେଣୁ ପ୍ରଚାର ଶେଷଠୁ ୨୬ତାରିଖରେ ଭୋଟ ଫଳାଫଳ ଶେଷ ପର୍ଯ୍ୟନ୍ତ ଏସବୁ ସହରାଞ୍ଚଳରେ ମଦ ବିକ୍ରି ହୋଇପାରିବ ନାହିଁ । ମଦ ଦୋକାନଗୁଡ଼ିକ ମାର୍ଚ୍ଚ ୨୭ରୁ ସ୍ୱାଭାବିକ ଭାବେ ଖୋଲିବ । ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୧୩୫(ଗ) ଅନ୍ତର୍ଗତ କୌଣସି ସାର୍ବଜନୀନ ଓ ଘରୋଇ ସ୍ଥାନରେ ମଦ ବିକ୍ରି ଉପରେ କଟକଣା ଜାରି ହୋଇଛି । କୌଣସି ମଦ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ୍‌, କ୍ଲବ ଓ ଅନ୍ୟ ସ୍ଥାନଗୁଡ଼ିକରେ କାହାରିକୁ ଏହି ଅବଧି ମଧ୍ୟରେ ମଦ ବିକ୍ରି କରାଯାଇପାରିବ ନାହିଁ । ତାରକା ହୋଟେଲ, ରେଷ୍ଟୁରାଂଟ, କ୍ଲବ ଓ ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ହୋଟେଲ ଯଦିଓ ସେମାନଙ୍କୁ ବିଭିନ୍ନ ବର୍ଗର ଲାଇସେନ୍ସ ପ୍ରଦାନ କରାଯାଇଥିବ,ତଥାପି ଏହି ଦିନଗୁଡ଼ିକରେ ମଦ ବିକ୍ରି ଉପରେ କଟକଣା ରହିବ । ସେହିପରି ବ୍ୟକ୍ତିଗତ ଭାବେ ଉକ୍ତ ଅବଧିରେ ବିନା ଲାଇସେନ୍ସରେ ଅଧିକ ପରିମାଣର ମଦ ରଖିଥିଲେ ଅବକାରୀ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସବୁକୁ ଦୃଷ୍ଟିରେ ରଖି ପୌର ନିର୍ବାଚନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ମଦ ବିକ୍ରି ଆଦି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଅବକାରୀ, ପୋଲିସ ଓ ଜଙ୍ଗଳ କର୍ମଚାରୀଙ୍କ ଦ୍ୱାରା ମିଳିତ ଭାବେ ଚଢ଼ଉ ଜୋରଦାର କରିବାକୁ ଜିଲ୍ଲାପାଳମାନଙ୍କୁପରାମର୍ଶ ଦିଆଯାଇଛି ।