ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ସୁପ୍ରିମକୋର୍ଟରେ ନିଯୁକ୍ତି ସୁଯୋଗ: ଶତାଧିକ ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଦେଶର ସର୍ବୋଚ୍ଚ ନ୍ୟାୟାଳରେ ପୂରଣ ହେବ ଶତାଧିକ ପଦ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସେମ୍ବର ୪ରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୫ରେ ତାହା ସମାପ୍ତ ହେବ । ଜେନେରାଲ ଓ ଓବିସି ପ୍ରାର୍ଥୀଙ୍କୁ ଏଥିପାଇଁ ୧ ହଜାର ଟଙ୍କାର ଅଣଫେରସ୍ତ ଯୋଗ୍ୟ ଫିସ୍ ଜମା କରିବାକୁ ପଡ଼ିବ । ସେହିପରି ଏସସି, ଏସଟି, ଏକ୍ସ-ସର୍ଭିସମେନ/ ପିଏଚ ପ୍ରାର୍ଥୀଙ୍କ ଉକ୍ତ ଫିସ୍ ୨୫୦ ଟଙ୍କା ରହିଛି । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇବା ସହ ଅନଲାଇନରେ ଆବେଦନ କରିପାରିବେ ।

୩୧ଟି କୋଟ ମାଷ୍ଟର (ଶର୍ଟହାଣ୍ଡ), ୩୩ଟି ସିନିୟର ବ୍ୟକ୍ତିଗତ ସହାୟକ ଓ ୪୩ଟି ବ୍ୟକ୍ତିଗତ ସହାୟକ ପଦ ପୂରଣ ହେବ । ଏହି ସମସ୍ତ ପଦ ପାଇଁ ବେସିକ୍ ପେ’ ଯଥାକ୍ରମେ ୬୭,୭୦୦ ଟଙ୍କା, ୪୭,୬୦୦ ଟଙ୍କା ଓ ୪୪,୯୦୦ ଟଙ୍କା ରହିଛି । କୋର୍ଟ ମାଷ୍ଟର ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ କରିଥିବେ । ଏଥିସହିତ ସେ ଇଂରାଜୀ ଶର୍ଟହାଣ୍ଡ ଓ ଟାଇପିଂ ଜାଣିଥିବେ । ସିନିୟର ବ୍ୟକ୍ତିଗତ ସହାୟକ ପଦ ପାଇଁ ପ୍ରାର୍ଥୀ ସ୍ନାତକ ପାସ୍ କରିବା ସହ ଇଂରାଜୀ ଶର୍ଟହାଣ୍ଡ ଓ ଟାଇପିଂ ଜାଣିଥିବେ । ସେହିପରି ବ୍ୟକ୍ତିଗତ ସହାୟକ ପଦ ପାଇଁ ପ୍ରାର୍ଥୀ ସ୍ନାତକ ପାସ୍ କରିବା ସହ ଇଂରାଜୀ ଶର୍ଟହାଣ୍ଡ ଓ ଟାଇପିଂ ଜାଣିଥିବେ । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ସୁପ୍ରିମକୋର୍ଟରେ ଚାକିରି ପାଇବାର ଏହା ଏକ ବଡ଼ ସୁଯୋଗ । କାରଣ ଏହି ସମସ୍ତ ପଦ ପାଇଁ ଦେଶର ୨୩ଟି ପରୀକ୍ଷା କେନ୍ଦ୍ରରେ ଲିଖିତ ପରୀକ୍ଷା ହେବା ନେଇ ସ୍ଥିର ହୋଇଥିବା ବେଳେ ସେଥିମଧ୍ୟରେ ଭୁବନେଶ୍ୱରର ନାମ ସାମିଲ୍ ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://cdn3.digialm.com/EForms/configuredHtml/32912/91925/Index.html

ନୋଟିଫିକେସନ ଲିଙ୍କ: https://cdnbbsr.s3waas.gov.in/s3ec0490f1f4972d133619a60c30f3559e/uploads/2024/12/2024120333.pdf