fbpx

ଡରାଉଛି କୋଭିଡ୍: ସପ୍ତାହରେ ୪୧% ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାର ଚତୁର୍ଥ ଲହର ଧୀରେ ଧୀରେ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀ କରୋନାର ନୂଆ ହଟ୍ସ୍ପଟ୍ ପାଲଟିଥିବା ବେଳେ ହରିୟାଣା ଏବଂ ୟୁପିରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଗତ ଏକ ସପ୍ତାହ ମଧ୍ୟରେ ଦେଶରେ ସଂକ୍ରମଣ ଧୀରେ ଧୀରେ ଉପରମୁହାଁ ହେବାରେ ଲାଗିଛି ।

୨୫ ଏପ୍ରିଲରୁ ୧ ମେ ମଧ୍ୟରେ ୨୨ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାର ପୂର୍ବ ସପ୍ତାହରେ ୧୫୮୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ୪୧ ପ୍ରତିଶତ ବୃଦ୍ଧି ଘଟିଛି । ତେବେ କରୋନାର ଏହି ନୂତନ ଲହର ଏତେଟା ପ୍ରାଣଘାତକ ସାବ୍ୟସ୍ତ ହୋଇନାହିଁ । ୨୫ ଏପ୍ରିଲରୁ ୧ ମେ ସପ୍ତାହ ମଧ୍ୟରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାର ପୂର୍ବ ସପ୍ତାହରେ ୨୯ ଏବଂ ଏକ ସପ୍ତାହ ପୂର୍ବରୁ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଜାତୀୟ ରାଜଧାନୀ ଦିଲ୍ଲୀ କରୋନାର ହଟ୍ସ୍ପଟ୍ ପାଲଟିଛି । ଅନ୍ୟ ରାଜ୍ୟ ମାନଙ୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାରରୁ କମ୍ ରହିଥିବା ବେଳେ ରାଜଧାନୀରେ ୯୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୨୬ ରହିଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ୫୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଚଳିତ ସପ୍ତାହରେ ଏହା ମାତ୍ର ୪୩ ପ୍ରତିଶତ ବଢିଛି । ତେବେ ଦୁଇ ସପ୍ତାହ ତଳେ ଏହି ହାର ୧୭୪ ପ୍ରତିଶତ ରହିଥିବା ବେଳେ ଏହା ହ୍ରାସ ପାଇବା ଏକ ଶୁଭ ସଙ୍କେତ ବୋଲି ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.