fbpx

ଆମେରିକାରେ ହେବାକୁ ଥିବା IND vs WI ଟି-୨୦ ସିରିଜର ଦୁଇଟି ମ୍ୟାଚ୍ ଉପରେ ସଙ୍କଟର ବାଦଲ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାରି ରହିଛି। ସିରିଜର ଶେଷ ଦୁଇଟି ମୁକାବିଲା ଆମେରିକାର ଫ୍ଲୋରିଡାରେ ଖେଳାଯିବ। ତେବେ ଫ୍ଲୋରିଡାରେ ମ୍ୟାଚ୍ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ଏମିତି ହୁଏ ତେବେ ଓ୍ଵେଷ୍ଟଇଣ୍ଡିଜରେ ହିଁ ବାକି ଦୁଇଟି ମ୍ୟାଚ୍ ଖେଳାଯିବ। କ୍ରିକେଟ୍ ଓ୍ଵେଷ୍ଟଇଣ୍ଡିଜ ଭିସା ସମସ୍ୟା କାରଣରୁ ଏମିତି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇପାରେ। ସିରିଜର ଦ୍ଵିତୀୟ ମୁକାବିଲା ଆଜି ତ୍ରିନିଦାଦରେ ଖେଳାଯିବ। ତୃତୀୟ ମୁକାବିଲା ଆସନ୍ତାକାଲି ଏହି ମଇଦାନରେ ହିଁ ଖେଳାଯିବ। ଏହା ପରେ ଅଗଷ୍ଟ ୬ ଏବଂ ୭ ତାରିଖରେ ସିରିଜର ଶେଷ ଦୁଇଟି ମ୍ୟାଚ୍ ଫ୍ଲୋରିଡାରେ ଖେଳାଯିବାର ଅଛି।

କ୍ରିକବଜର ଖବର ଅନୁଯାୟୀ, ଖେଳାଳିଙ୍କ ୟୁଏସ ଭିସା ଏ ପର‌୍ୟ୍ୟନ୍ତ ଆସିନାହିଁ। ଏମିତିରେ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟକୁ ଅନ୍ୟ ଏକ ବିକଳ୍ପ ଯୋଜନା କରିବାକୁ ପଡିବ। ଫ୍ଲୋରିଡାର ଲଡରହିଲର ସେଣ୍ଟ୍ରାଲ ବ୍ରୋଭାର୍ଡ ପାର୍କ ମଇଦାନରେ ଦୁଇଟି ମ୍ୟାଚ୍ ଖେଳାଯିବ। ହେଲେ ଭାରତୀୟ ଦଳ ଏବଂ ଓ୍ଵେଷ୍ଟଇଣ୍ଡିଜ ଦଳର ଅନେକ ଖେଳାଳିଙ୍କୁ ଏ ପର‌୍ୟ୍ୟନ୍ତ ଭିସା ମିଳିନାହିଁ।

ଏମିତିରେ ଅବଶିଷ୍ଟ ଦୁଇଟି ଟି-୨୦ କ୍ୟାରବିଆଇ ମାଟିରେ ହିଁ ଖେଳାଯାଇପାରେ ବୋଲି ଓ୍ଵେଷ୍ଟଇଣ୍ଡିକ କ୍ରିକେଟର ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ। ଭିସା ସଂପର୍କିତ ସମସ୍ୟାର ସମାଧାନ ପାଇଁ ସଂପ୍ରତି ପ୍ରୟାସ ଜାରି ରହିଛି। ପ୍ରଥମେ ଯୋଜନା ଥିଲା ଯେ, ସେଣ୍ଟ କିଟ୍ସରେ ଦଳ ପହଞ୍ଚିବା ପରେ ସେମାନଙ୍କୁ ଭିସା ଦେଇ ଦିଆଯିବ। ମାତ୍ର ଏମିତି ହୋଇ ପାରି ନାହିଁ। ସିରିଜରେ ଭାରତୀୟ ଦଳ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି।

Get real time updates directly on you device, subscribe now.