fbpx

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଉପରେ ଛାଇଲା ସଙ୍କଟର ବାଦଲ, ହାଇକୋର୍ଟ ଉପରେ ସଭିଙ୍କ ନଜର

ରାଞ୍ଚି : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ରାଞ୍ଚିରେ ଖେଳାଯିବ । ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ହେଲେ ଦ୍ୱିତୀୟ ମ୍ୟାଚ ଉପରେ ସଙ୍କଟର ବାଦଲ ଛାଇ ଯାଇଛି । ରାଞ୍ଚିରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ ସ୍ଥଗିତ କରିବା କିମ୍ବା ଷ୍ଟାଡିୟମର କ୍ଷମତାର ଅଧା ଦର୍ଶକ ସହିତ ମ୍ୟାଚ୍ ଆୟୋଜନ କରିବା ଦାବିରେ ଝାଡଖଣ୍ଡ ହାଇକୋର୍ଟରେ ଯାଚିକା ଦାଖଲ ହୋଇଛି । ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ଓକିଲ ଧୀରଜ କୁମାର ଅଦାଲତରେ ଏହି ଆବେଦନ ଦାଖଲ କରିଛନ୍ତି ।
ଓକିଲ ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘର ଜେଏସସିଏ ଷ୍ଟାଡିୟମରେ ଶତପ୍ରତିଶତ ଦର୍ଶକ କ୍ଷମତା ସହ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମ୍ୟାଚ୍ ଆୟୋଜନକୁ ବିରୋଧ କରିଛନ୍ତି । ସେ କହିଛନ୍ତି, କରୋନା ସଂକ୍ରମଣକୁ ନେଇ ଯେଉଁ ସମୟରେ ରାଜ୍ୟର ମନ୍ଦିର, ସମସ୍ତ କୋର୍ଟ ସହିତ ଅନ୍ୟ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି, ସେଠି କେଉଁ ନିୟମ ଆଧାରରେ ରାଜ୍ୟ ସରକାର କ୍ରିକେଟ୍  ଷ୍ଟାଡିୟମକୁ ୧୦୦ ପ୍ରତିଶତ କ୍ଷମତା ସହିତ ମ୍ୟାଚ୍ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି ? ଆବେଦନରେ ଆସନ୍ତାକାଲିର ମ୍ୟାଚ୍ ସ୍ଥଗିତ ରଖାଯାଉ କିମ୍ବା କ୍ଷମତାର ଅଧା ଦର୍ଶକ ସହିତ ମ୍ୟାଚ୍ ଆୟୋଜନ କରିବାକୁ ଦାବି କରାଯାଇଛି ।
ଓକିଲ ଆବେଦନରେ ଶୀଘ୍ର ଶୁଣାଣି କରିବା ପାଇଁ କୋର୍ଟକୁ ବିଶେଷ ଅନୁରୋଧ କରିଛନ୍ତି । ଆଉ ଏହି ମାମଲାରେ ରାଜ୍ୟ ସରକାରଙ୍କ ଆଦେଶ ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ଦୁଇ ଦିନ ପୂର୍ବେ ରାଜ୍ୟ ସରକାର ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଅଧା ଦର୍ଶକ ପ୍ରବେଶ ଅନୁମତି ଦେଇଥିଲେ । ହେଲେ ଏହି ନିର୍ଣ୍ଣୟକୁ ପ୍ରତ୍ୟାହାର କରି ଷ୍ଟାଡିୟମର ପୂର୍ଣ୍ଣ କ୍ଷମତା ସହ ମ୍ୟାଚ୍ ଆୟୋଜନ କରିବାକୁ ଅନୁମତି ଦେଇଥିଲେ । ଏବେ ଦେଖିବା ବାକି ରହିଲା ହାଇକୋର୍ଟ ଏହା ଉପରେ ଶୀଘ୍ର ଶୁଣାଣି କରୁଛନ୍ତି ନା ନାହିଁ । ଯଦି ଶୁଣାଣି କରୁଛନ୍ତି ତେବେ କଣ ରାୟ ଦେଉଛନ୍ତି ତାହା ଦେଖିବା ବାକି ରହିଲା ।

 

Get real time updates directly on you device, subscribe now.