ନିଷ୍ଠୁର ପୁଅ, ବୋଝ ହୋଇଗଲା ମା’, ମହାକୁମ୍ଭରେ ଆଣି ଛାଡ଼ି ଚାଲିଗଲେ ୪ ପୁଅ
ସତରେ କି ବିଚିତ୍ର ଏ ସଂସାର, କି ବିଚିତ୍ର ଏ ସଭ୍ୟ ବୋଲାଉଥିବା ମଣିଷର ମାନସିକତା। ଯେଉଁ ମା' ବଢ଼େଇ କୁଢ଼େଇ ମଣିଷ କଲା ବାର୍ଦ୍ଧକ୍ୟବସ୍ଥାରେ ହାତ ଛାଡ଼ିଦେଲେ ସେହି ୪ ପୁଅ।
ଉତ୍ତରପ୍ରଦେଶ: ମହାକୁମ୍ଭରୁ ପ୍ରତିଦିନ କିଛି ନି କାଛି ନୂଆ ଘଟଣା ସାମ୍ନାକୁ ଆସୁଛି। ତା ମଧ୍ୟରୁ କିଛି ଭଲ ଘଟଣା ଥିବା ବେଳେ କିଛି ଖରାପ ଖବର ମଧ୍ୟ ସାମ୍ନାକୁ ଆସୁଛି। କେତେବେଳେ ଏହି ମହାକୁମ୍ଭ କାହାକୁ ରୋଜଗାରର ପନ୍ଥା ଦେଇଥିବା ବେଳେ, କାହାଠାରୁ ସର୍ବସ୍ୱ ଛଡ଼ାଇ ନେଇଛି।
ଠିକ୍ ସେହିପରି ଏବେ ମହାକୁମ୍ଭରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଜଣେ ୮୦ ବର୍ଷୀୟ ବୃଦ୍ଧା ମା’ କୁ ଶୀତ କାକରରେ ଛାଡି ଚାଲିଯାଇଛନ୍ତି ତାଙ୍କ ନିଜ ପୁଅ। ପୁଅକୁ ଖୋଜି ଖୋଜି ମା ଆଖିରୁ ଆଉ ଲୁହ ସୁଖୁନି। ସେପଟେ ପୁଅକୁ ଫୋନ କଲେ ପୁଅ କହୁଛି ମୁଁ ତାକୁ ଆଉ ଘରକୁ ଆଣିବିନି।
ବୟସର ଅପରାହ୍ନ: ଯେତେବେଳେ ବାପା ମା ମାନଙ୍କର ବାର୍ଦ୍ଧକ୍ୟବସ୍ଥା ଆସେ ସେତେବେଳେ ସାହାରା ପାଲଟିଥାନ୍ତି ପୁଅ ଝିଅ। ହେଲେ ଆଜିକା ସମୟରେ ବାପା ମା ବୁଢା ବୁଢୀ ହେଲେ ସେମାନଙ୍କୁ ବୋଝ ଭାବି ଘରୁ ବାହାର କରିଦେଉଛନ୍ତି ସନ୍ତାନମାନେ।
ମହାକୁମ୍ଭ ମେଳା: ମହାକୁମ୍ଭ ମେଳା ଯାହାକି ୧୪୪ ବର୍ଷ ପରେ ଚଳିତ ବର୍ଷ ପଡିଛି। ଆଉ ଏହି ପବିତ୍ର ସ୍ଥାନକୁ ଯାଇ ପୂର୍ଣ୍ଣ୍ୟ ଅର୍ଜନ କରିବାକୁ ସମସ୍ତଙ୍କ ମନ ବଳାଉଛି। ହେଲେ ଏଠି ଦୁଇଟି ରୋଚକ ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି।
ନିକଟରେ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା। କି ନିଜର ୯୦ ବର୍ଷୀୟ ବୁଢୀ ମା ଇଚ୍ଛା ପୂରଣ କରିବାକୁ ଯାଇ ୬୫ ବର୍ଷୀୟ ପୁଅ ବଳଦ ଗାଡିରେ ମା କୁ ବସାଇ ଠେଲି ଠେଲି ମହାକୁମ୍ଭକୁ ଆଣିଥିଲେ। ହେଲେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି କି ବୁଡୀ ମାକୁ ମହାକୁମ୍ଭ ଆଣି ଛାଡି ଚାଲିଯାଇଛନ୍ତି ତାଙ୍କ ପୁଅମାନେ।
ମାର ଭଲପାଇବା: ମୋ ପୁଅମାନେ ନିଷ୍ଠୁର ନୁହଁନ୍ତି। ବୋଧହୁଏ ମୁଁ କେଉଁଠି ଅଛି ତାଙ୍କୁ ଜଣା ନାହିଁ। କି ବୋଧହୁଏ ମୁଁ ତାଙ୍କୁ ସ୍ନେହ ଦେବାରେ ଊଣା କରଦେଲି, ସେଥିପାଇଁ ସେମାନେ ମୋତେ ଖୋଜିବାକୁ ଚାହୁଁନାହାଁନ୍ତି। ମୁଁ ଇଂରାଜୀରେ ଏମଏ ପାସ୍ କରିଛି। ୫ ପୁଅ, ଝିଅଙ୍କୁ ମଣିଷ କରବି ବୋଲି ଚାକିରି କଲିନି।
ହେଲେ ମୋ ପୁଅମାନେ ମତେ ବୁଢୀ ବୟସରେ ପୋଷି ପାରିବେନି ବୋଲି କହି ବୃଦ୍ଧାଶ୍ରମରେ ଛାଡି ଦେଇଥିଲେ। ସେଠାରୁ ଝିଅ ନେଇ ଆସିଲା। ଆଉ ଝିଅ ପାଖରେ ୮ ବର୍ଷ ରହିବା ପରେ ଜ୍ୱାଇଁଙ୍କର ମୃତ୍ୟୁ ହୋଇଗଲା।
ତେଣୁ ପୁଅମାନଙ୍କ ପାଖକୁ ଫେରି ଆସିଲି। ହେଲେ ସେଠାରେ ପୁଅମାନେ ମତେ ରଖିବାକୁ ମନାକଲେ। ଆଉ କୁମ୍ଭମେଳାରେ ଆଣି ଛାଡିଦେଇଗଲେ। ଯେତେବେଳେ ଏହି ବୁଢୀ ମା ଟିର କଥା ଜଣେ ସାମ୍ୱାଦିକ ଶୁଣିଲେ ତାଙ୍କ ଆଖିରେ ଲୁହ ରହିଲାନି।
ଅସ୍ଥାୟୀ ହସ୍ପିଟାଲ: ପରେ ସାମ୍ୱାଦିକ ଜଣକ ବୁଢୀ ମାକୁ ଯାହାଙ୍କ ନାମ ରେଖା ଦ୍ୱିବେଦୀ ପରେ ତାଙ୍କୁ ମହାକୁମ୍ଭର ଅସ୍ଥାୟୀ ହସ୍ପିଟାଲରେ ଆଣି ରଖିଥିଲେ। ସେଠାରୁ ତାଙ୍କ ପୁଅ ମାନଙ୍କ ପାଖକୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଯାହା ଶୁଣିଲେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା।
ପୁଅମାନଙ୍କ ଯୋଗ୍ୟତା: ରେଖାଙ୍କର ୪ଟି ପୁଅ ଅଛନ୍ତି। ସମସ୍ତେ ଭଲରେ ମଧ୍ୟ ଅଛନ୍ତି। ଭଲ ରୋଜଗାର କରୁଛନ୍ତି। ଜଣେ ଅହ୍ଲାବାଦ ହାଇକୋର୍ଟରେ ସିନିଅର ଓକିଲ। ଦ୍ୱିତୀୟ ପୁଅ ଜଣେ ଅଧ୍ୟାପକ। ଅନ୍ୟ ଦୁଇ ପୁଅ ଘରୋଇ କମ୍ପାନୀରେ ଚାକିରି କଲେ ବି ଆର୍ଥିକ ଭାବେ ସ୍ୱଚ୍ଛଳ। ଘରେ ମା’ ରେଖାଙ୍କ ଯତ୍ନ ନେଇପାରିବେ ନାହିଁ ବୋଲି ତାଙ୍କୁ ଛାଡିଦେଲେ।
ଯେତେବେଳେ ସାମ୍ୱାଦିକ ଜଣଙ୍କ ତାଙ୍କ ପୁଅମାନଙ୍କ ପାଖକୁ ଫୋନ କଲେ ଦୁଇ ଜଣଙ୍କ ଫୋନ ବନ୍ଦ ଥିଲା। ଆଉ ଜଣଙ୍କ ଫୋନ ଲାଗି ନଥିଲା। ହେଲେ ସାନ ପୁଅ ଫୋନ ଉଠାଇଲେ ହେଲେ କହିଲେ ତାଙ୍କ ସହ ଆମର କିଛି ସମ୍ପର୍କ ନାହିଁ। ସିଏ କିଏ ଆମେ ତାଙ୍କୁ ଚିହ୍ନିନୁ।