fbpx

ଆଜି CSK vs RCB ମହାସମର: କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ଅଧିନାୟକ ଋତୁରାଜ, RCB ଉପରେ ନଜର

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ-୨୦୨୪ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ୨ଟି ଶକ୍ତିଶାଳୀ ଦଳ । ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଏହି ମ୍ୟାଚ ଖୁବ ନୂଆ ନୂଆ ଲାଗୁଛି, କାରଣ ପୂର୍ବ ସିଜନ ଅପେକ୍ଷା ଏହି ମ୍ୟାଚରେ ଅନେକ କିଛି ନୂଆ ରହିଛି । ଗୋଟିଏ ପଟେ ଧୋନୀଙ୍କ ସ୍ଥାନରେ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡ ଚେନ୍ନାଇର ନେତୃତ୍ୱ ନେଉଛନ୍ତି । ଏବଂ ଅନ୍ୟ ପଟେ ନୂଆ ଜର୍ସି ସହ ନୂଆ ଲୋଗୋ ଏବଂ ନୂଆ ନାଁରେ ଆଇପିଏଲକୁ ପେରୁଛି ଆରସିବି । ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି । ତେବେ କ’ଣ ରହିବ ଉଭୟ ଦଳର ପ୍ଲେଇଙ୍ଗ-୧୧? କାହାକୁ ବାଛିବେ ଋତୁରାଜ? ଡୁପ୍ଲେସିସଙ୍କ ଦଳରେ କିଏ ପାଇବେ ସୁଯୋଗ?

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ପାଇଁ ଚିନ୍ତାର ବିଷୟ ପାଲଟିଛି ଆହତ ସମସ୍ୟା । ଦଳର ୨ ଜଣ ବିଦେଶୀ ପ୍ରମୁଖ ଖେଳାଳି ଡିଭନ୍ କନୱେ ଏବଂ ମାଥିଶା ପାଥିରାନା ଆହତ ହୋଇଥିବା ବେଳେ ଉଭୟଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଏହାବ୍ୟତୀତ ଚଳିତବର୍ଷ ପ୍ରଥମ କରି ଦଳ ସହ ସାମିଲ ହୋଇଥିବା ମୁସ୍ତାଫିଜୁର ରହମାନ ମଧ୍ୟ ଆହତ ହୋଇଛନ୍ତି । ତେଣୁ ଚେନ୍ନାଇ ପାଇଁ ବିଦେଶୀ ଖେଳାଳିଙ୍କ ବିକଳ୍ପ ଖୁବ କମ୍ ରହିଛି । ଏଥିପାଇଁ ଋତୁରାଜଙ୍କୁ ପ୍ଲେଇଙ୍ଗ-୧୧ ଚୟନ କରିବା ସମୟରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ତେବେ ଦଳରେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ତାଙ୍କ ସହଯୋଗ ପାଇଁ ସାମିଲ ରହିଛନ୍ତି ।

ଆଜିର ମ୍ୟାଚରେ ଡିଭନ୍ କନୱେଙ୍କ ସ୍ଥାନରେ ଋତୁରାଜ ରଚିନ୍ ରବିନ୍ଦ୍ରଙ୍କୁ ଓପନର ଭୂମିକାରେ ସୁଯୋଗ ଦେଇପାରନ୍ତି । ଏହାବ୍ୟତୀତ ମୋଇନ୍ ଅଲୀ ଏବଂ ଡାରିଲ ମିଚେଲଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିପାରେ । ତେବେ ବୋଲିଂ ବିଭାଗରେ ପ୍ରମୁଖ ଭୂମିକା ଦୀପକ ଚହରଙ୍କ କାନ୍ଧରେ ରହିଥିବା ବେଳେ ଶାର୍ଦ୍ଦୁଳ ଠାକୁର ପୁଣିଥରେ ୟେଲୋ ଜର୍ସିରେ କମବ୍ୟାକ କରିପାରନ୍ତି ।

ଅନ୍ୟ ପକ୍ଷରେ ବେଙ୍ଗଲୁରୁ ପାଇଁ ବିଶେଷ ସମସ୍ୟା ନାହିଁ । ଅଧିନାୟକ ଫାଫ୍ ଡୁପ୍ଲେସିସଙ୍କ ନିକଟରେ ଦମଦାର ଖେଳାଳି ସାମିଲ ରହିଥିବା ବେଳେ ଭଲ ଫର୍ମରେ ମଧ୍ୟ ରହିଛନ୍ତି । ତେଣୁ ତାଙ୍କୁ ଦଳ ଚୟନ କରିବାରେ ବିଶେଷ ସମସ୍ୟା ହେବନାହିଁ । ତେବେ ଅଧିନାୟକ ଡୁପ୍ଲେସିସ, ବିରାଟ କୋହଲି ଏବଂ ଗ୍ଲେନ ମାକ୍ସୱେଲଙ୍କ ଉପରେ ଚେନ୍ନାଇକୁ ବଡ଼ ଟାର୍ଗେଟ ଦେବାର ଦାୟିତ୍ୱ ରହିବ । ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର କ୍ୟାରନ୍ ଗ୍ରୀନ ମଧ୍ୟରେ ଦଳରେ ସାମିଲ ରହିଛନ୍ତି ।

ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପ୍ଲେଇଙ୍ଗ-୧୧: ଫାଫ୍ ଡୁ ପ୍ଲେସିସ(ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ ମାକ୍ସୱେଲ, କ୍ୟାମରନ୍ ଗ୍ରୀନ, ଦିନେଶ କାର୍ତ୍ତିକ, ଅଲଜାରୀ ଜୋସେଫ, ମୟଙ୍କ ଡାଗର, ଆକାଶ ଦୀପ୍, ମହମ୍ମଦ ସିରାଜ

ଚେନ୍ନାଇ ସୁପର କିଙ୍ଗସ ପ୍ଲେଇଙ୍ଗ-୧୧: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ରଚିନ ରବିନ୍ଦ୍ର, ଆଜିଙ୍କ୍ୟା ରାହାଣେ, ମୋଇନ୍ ଅଲୀ/ଡାରିଲ ମିଚେଲ, ଶିବମ ଦୁବେ, ଏମ.ଏସ ଧୋନୀ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମିଚେଲ ସାଣ୍ଟନର, ଦୀପକ ଚହର, ମହୀଷ ଥୀକ୍ଷଣା ।

Get real time updates directly on you device, subscribe now.