୧୦ଟି ସ୍ଥାନରେ ଲାଗିଲା କର୍ଫ୍ୟୁ: ଇଦରେ ବିଶୃଙ୍ଖଳା ପରେ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ପର୍ଯ୍ୟନ୍ତ ରାଜସ୍ଥାନ ଯୋଧପୁରର ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ଇଦ ପାଳନ ସମୟରେ ଏଠାରେ ହୋଇଥିବା ବିଶୃଙ୍ଖଳା ପରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ମୋଟ ୧୦ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିବା କୁହାଯାଇଛି । କେବଳ ସେତିକି ନୁହେଁ, ବିଶୃଙ୍ଖଳାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏକ ବୈଠକ ଡକାଇଛନ୍ତି ।

ଯୋଧପୁର ଜିଲ୍ଲା ଉଦୟମାଣ୍ଡିର, ସଦର କୋଟୱାଲି, ସଦର ବଜାର. ନାଗୋରୀ ଫାଟକ ଏବଂ ଚାନ୍ଦା ଫାଲସା ଇତ୍ୟାଦିଠାରେ କର୍ଫ୍ୟ ଲାଗୁ କରାଯାଇଥିବା କହିଛନ୍ତି ଡେପୁଟି କମିଶନର ରାଜକୁମାର ଚୌଧୂରୀ । ଏହାବ୍ୟତୀତ ପ୍ରତାପନଗର, ସଦର, ଦେବନଗର, ସୁରସାଗର ଏବଂ ସରଦାରପୁରା ଇତ୍ୟାଦି ଅଞ୍ଚଳରେ ମଧ୍ୟ କର୍ଫ୍ୟୁ ଲାଗୁ ହୋଇଛି । ଆଜି ମଧ୍ୟାହ୍ନ ୧ଟାରୁ ଆସନ୍ତାକାଲି ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ପୋଲିସ ବିଭାଗ ତରଫରୁ କୁହାଯାଇଛି । ତେବେ ଏହାର ଅବଧି ଆଗକୁ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ରହିଛି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ।

ସୋମବାର ରାତିରେ ଜଲୋରୀ ଗେଟ ଛକ ନିକଟରେ ଏକ ହଙ୍ଗାମା ହୋଇଛି । ତେବେ ଏକ ଧାର୍ମିକ ପତାକା ହଟାଇବାକୁ ନେଇ ବିଶୃଙ୍ଖଳା ହୋଇଥିବା ଜଣାପଡିଛି । ଏହାପରେ ଜିଲ୍ଲାରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଛୋଟ କଥାକୁ ନେଇ ପ୍ରଥମେ ବଚସା ଏବଂ ପରେ ଏହା ଏଭଳି ଏକ ମାରପିଟର କାରଣ ପାଲଟିଥିଲା ।