fbpx

ବାତ୍ୟା ଯିବା ପରେ ବିଢ଼ିଲା କରୋନା ଟେନ୍‌ସନ୍ : ବାତ୍ୟା ଆଶ୍ରୟସ୍ଥଳ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖ ପାଇଁ ୧୨ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାଜ୍ୟରେ ବାତ୍ୟା ଚାଲିଯିବା ପରେ  ଏବେ ପୁଣି କରୋନା ଚିନ୍ତା ଫେରି ଆସିଛି । ବାତ୍ୟା ପାଇଁ ଆଶ୍ରୟସ୍ଥଳକୁ ନିଆଯାଇଥିବା ଲକ୍ଷ ଲକ୍ଷ ଲୋକ, ଉଦ୍ଧାର ଓ ସହାୟତା କରିବାକୁ ଯାଇଥିବା ହଜାର ହଜାର କର୍ମଚାରୀ ଯେପରି କରୋନା ସଂକ୍ରମିତ ନହୁଅନ୍ତି ସେ ଦିଗରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି । ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଗୁରୁବାର ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଉଲ୍ଲେଖ କରିଛନ୍ତି ଯେ, ୟଶ୍ ବାତ୍ୟା ପାଇଁ ବହୁ ପରିବାର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିଲେ । ଏହାବ୍ୟତୀତ ବହୁ ଲୋକ ମଧ୍ୟ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ ଲୋକମାନେ ପରସ୍ପରର ସଂସ୍ପର୍ଶରେ ଆସିଥିବେ । ଏବେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରୁ ଘରକୁ ଫେରିଥିବା ଓ
ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବାରୁ ଆଗାମୀ ସପ୍ତାହ ଗୁଡ଼ିକରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ କୋଭିଡ୍‌ ଲକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି । ଏହି ୧୨ଟି ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ।

ଆଶ୍ରୟସ୍ଥଳ ଫେରନ୍ତା ଲୋକ, ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ଘରକୁ ଘର ବୁଲୁଥିବା ସର୍ଭେ ଟିମକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଉ । ଏସବୁ ଲୋକମାନେ ନିଜର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖନ୍ତୁ ଓ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜକୁ ଅଲଗା କରି କୋଭିଡ୍‌ ପରୀକ୍ଷା କରାନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି ।

Get real time updates directly on you device, subscribe now.