ବାତ୍ୟା ଦାନା: ବୁଡ଼ିଗଲା ବଗପାଟିଆ, ଏହିସବୁ ଜିଲ୍ଲାକୁ ଦିଆଗଲା ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ବାତ୍ୟା ‘ଦାନା’ର ପ୍ରଭାବରେ ହେଉଛି ପ୍ରବଳ ବର୍ଷା । ଜୋରରେ ବୋହୁଛି ପବନ । ଅଶାନ୍ତ ରହିଛି ସମୁଦ୍ର ଓ ଉଠୁଛି ଉଚ୍ଚ ଜୁଆର । ବାତ୍ୟାର ଶେଷ ଅଂଶ ସ୍ଥଳଭାଗ ପ୍ରବେଶ କରୁଛି । ପାଣି ଘେରରେ ରହିଛି ୫୭୧ ପରିବାର । ସାତଭାୟାର ଥଇଥାନ ସ୍ଥଳୀ ବଗପାଟିଆରେ ପଶିଯାଇଛି ଜୁଆର ପାଣି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଲାଗିରହିଥିବାରୁ ଜଳସ୍ତର ବଢ଼ୁଥିବା ଆଶଙ୍କା କରାଯାଉଛି ।

ଅନ୍ୟପଟେ ବାତ୍ୟା ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ଆଜିପାଇଁ ରାଜ୍ୟର ୯ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ସମେତ ଯାଜପୁର, ଭଦ୍ରକ, ଢ଼େଙ୍କାନାଳ ଓ ପୁରୀକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, ସୋନପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।