fbpx

ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ଘୋଷଣା: ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେଲେ ମୋଦୀ

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିପାବଳୀ ଉପହାର ଦେଇଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ପୂର୍ବରୁ କର୍ମଚାରୀମାନେ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବା ଏବେ ପୁଣି ୪ ପ୍ରତିଶତ ବଢ଼ିବା ଫଳରେ ଏବେ ମୋଟ ଡିଏ ୪୬ ପ୍ରତିଶତରେ ପହଞ୍ଚି ଯାଇଛି । କେନ୍ଦ୍ର କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଡିଏ ୪ ପ୍ରତିଶତ ବୃଦ୍ଧି ହେବା ନେଇ ଘୋଷଣା କରାଯିବ ବୋଲି ପୂର୍ବାନୁମାନ କରାଯାଉଥିଲା । ଶେଷରେ ମୋଦୀ ଦେଶବାସୀଙ୍କୁ ଦିପାବଳୀ ପୂର୍ବରୁ ଏକ ଗିଫ୍ଟ ଦେଇଛନ୍ତି । ଏବେ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତରେ ପହଞ୍ଚି ଯାଇଥିବା ବେଳେ ସେମାନଙ୍କୁ ଏଣିକି ପ୍ରତି ମାସରେ ଅଧିକ ବେତନ ମିଳିବ । ଗତ ଜୁଲାଇ ମାସ ୧ ତାରିଖ ଠାରୁ କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସ ୨୪ ତାରିଖରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । ଫଳରେ ମୋଟ ଡିଏ ୪୨ ପ୍ରତିଶତରେ ପହଞ୍ଚି ଯାଇଥିଲା । ଗତ ଜାନୁଆରୀ ୧ ତାରିଖରୁ କର୍ମଚାରୀ ଓ ପେନସନଭୋଗୀ ଉକ୍ତ ଲାଭ ପାଇ ଆସୁଛନ୍ତି ।

କେନ୍ଦ୍ର କର୍ମଚାରୀଙ୍କ ବେତନରେ ମହଙ୍ଗା ଭତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସରକାର ପ୍ରତିବର୍ଷ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ବର୍ଷର ଜାନୁଆରୀ ପହିଲା ଓ ଜୁଲାଇ ପହିଲାରେ କେନ୍ଦ୍ର ସରକାର ଏହି ଘୋଷଣା କରିଥାନ୍ତି । ୪୬ ପ୍ରତିଶତରେ ଡିଏ ପହଞ୍ଚିବା ପରେ ଏଣିକି ସର୍ବନିମ୍ନ ବେସିକ-ପେ ପାଉଥିବା କର୍ମଚାରୀମାନେ ୮୨୮୦ ଟଙ୍କାର ଡିଏ ପାଇବେ । ଅର୍ଥାତ କର୍ମଚାରୀମାନେ ପ୍ରତି ମାସରେ ୭୨୦ ଟଙ୍କା ଅଧିକ ପାଇବେ । ସେହିପରି ସର୍ବାଧିକ ବେସିକ-ପେ ପାଉଥିବା ଅଧିକାରୀଙ୍କୁ ୨୬,୧୭୪ ଟଙ୍କାର ଡିଏ ମିଳିବ । ଅର୍ଥାତ ସେମାନଙ୍କ ମାସିକ ବେତନରେ ୨,୨୭୬ ଟଙ୍କା ବୃଦ୍ଧି ଘଟିବ ।

Get real time updates directly on you device, subscribe now.