fbpx

ମହଙ୍ଗା ମାଡ଼ ନେଇ ଖାଉଟି ଅତିଷ୍ଠ: ୨୦୦ ଛୁଇଁଲା ଡାଲି ଦର

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିମାନେ ଅତିଷ୍ଠ ହୋଇପଡ଼ିଲେଣି । ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏହା ଖାଉଟିଙ୍କ ପକେଟ ଉପରେ ମାଡ଼ ଦେଉଛି । ଏହି କ୍ରମରେ ଡାଲି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି । ହରଡ଼ ଡାଲି କେଜି ପିଛା ୨୦୦ଟଙ୍କା ଧରିଥିବାବେଳେ ଆଗକୁ ଏହା ଆହୁରି ବଢିବାର ଆଶଙ୍କା ରହିଛି ।

ଡାଲି, ଖାଇବା ତେଲ, ଆଳୁ, ପିଆଜ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପରିସରଭୁକ୍ତ । ଏହି ସାମଗ୍ରୀର ଉପଲବ୍ଧି ଓ ଏହାର ଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ମାତ୍ର ଦର କମିବା ପରିବର୍ତ୍ତେ ବଢି ବଢି ଚାଲିଥିବାରୁ ଖାଉଟିମାନେ ବଜାରକୁ ଯିବାକୁ ଭୟ କରୁଛନ୍ତି । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍ ଓ ଖାଦ୍ୟ ସାମଗ୍ରୀର ଦର ଆଶାତୀତ ଭାବେ ବୃଦ୍ଧି ପାଉଛି । ଏତେସବୁ ସତ୍ତେ୍ୱବି ଦରଦାମ ନିୟନ୍ତ୍ରଣ ଓ ଠକାମି ରୋକିବା ପାଇଁ ଅଭିଯୋଗ ହେଉଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । କେବଳ ଏତିକି ନୁହେଁ, କମ୍ପାନୀମାନେ ଖାଇବା ତେଲ ଓଜନରେ କାରସାଦି କରି ଗ୍ରାହକଙ୍କୁ ଠକିବାରେ ଲାଗିଛନ୍ତି । ଲିଟର ତେଲର ଦର ନେଉଥିବାବେଳେ ଖାଉଟି କିନ୍ତୁ ୮୫୦ ଗ୍ରାମର ତେଲ ପାଉଛନ୍ତି । ଫଳରେ ବ୍ୟବସାୟୀମାନେ ଖାଉଟିଙ୍କ ରୋଷର ଶିକାର ହେଉଛନ୍ତି ।

ତୁରନ୍ତ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଲେ ଆଗକୁ ବ୍ୟବସାୟୀମାନେ ମାଲ ଉଠାଇବେ ନାହିଁ କି ବିକ୍ରିବଟା କରିବେ ନାହିଁ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି । କମ୍ ଓଜନର ତେଲ ପ୍ୟାକେଟ ଓଡ଼ିଶା ବଜାରରେ ବିକି କମ୍ପାନୀମାନେ ମାଲେମାଲ ହେଉଛନ୍ତି । ୯୧୦ ଗ୍ରାମ ଓଜନର ତେଲ ପ୍ୟାକେଟ ବଦଳରେ ବଜାରକୁ ଆସୁଛି ୮୫୦ ଗ୍ରାମ ଓଜନର ପ୍ୟାକେଟ । ଯେଉଁ କର୍ପୋରେଟ ସଂସ୍ଥାମାନେ ଏଭଳି ଠକାମି କରୁଛନ୍ତି, ସେମାନଙ୍କ ଉପରେ ଅଂକୁଶ ଲଗାଇବା ପାଇଁ କେନ୍ଦ୍ର ସରକାର କୁନ୍ଥୁକୁନ୍ଥୁ ହେଉଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପ୍ରତ୍ୟେକ ଖାଉଟି ସାମଗ୍ରୀର ଦର ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ଖାଉଟିଙ୍କ ସ୍ୱାର୍ଥପ୍ରତି ନଜର ନ ଦେଇ ସଂପୂର୍ଣ୍ଣ ଆଖି ବୁଜି ଦେଉଥିବା ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.