(Video) ତାଣ୍ଡବ ଆରମ୍ଭ କଲାଣି ‘ଦାନା’! ବାତ୍ୟା ଲ୍ୟାଣ୍ଡପଲ ପୂର୍ବରୁ ଧାମରା ମଝିରେ ଭୟଙ୍କର ଦୃଶ୍ୟ, ପ୍ରବଳ ବର୍ଷା

ଓଡ଼ିଶା ଭାସ୍କର: ମାଡ଼ି ଆସୁଛି ବାତ୍ୟା ‘ଦାନା ’ । ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳର ଭାଗ ଛୁଇଁବାର ସମ୍ଭାବନା ରହିଛି । କିନ୍ତୁ ଲ୍ୟାଣ୍ଡଫଲ କରିବା ପୂର୍ବରୁ ହିଁ ଧାମରାରେ ବାତ୍ୟାର ପ୍ରଭାବ ଅନୁଭବ ହେଲାଣି । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ହିଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇଛି । ଧାମରା ସମେତ ପାଖାପାଖି ଅଞ୍ଚଳରେ ବାତ୍ୟାର ସିଧାସଳଖ ବାତ୍ୟାର ପ୍ରଭାବ ପଡିଲାଣି । ତେଣୁ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଏଠାରେ କ’ଣ ପ୍ରଭାବ ପଡ଼ିବ, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ଦେଖାଦେଇଛି ।

ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । ସ୍ଥାନୀୟ ଅଞ୍ଚଳରେ ବର୍ଷା ସହ ପବନର ବେଗ ବଢିବା ଆରମ୍ଭ ହେଲା । ଧାମରା- ଭିତରକନିକା ଅଞ୍ଚଳରେ ବର୍ଷା ଆରମ୍ଭ । ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଧାମରାରେ ବର୍ଷା ସହ ପାରାଦୀପ ଆକାଶ ମେଘାଚ୍ଛନ୍ନ । କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ‘ଦାନା ’ ୧୫ କି.ମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ପାରାଦୀପଠୁ ୫୨୦ ଓ ସାଗର ଦ୍ୱୀପଠାରୁ ୬୦୦ କିମି ଦୂରରେ ରହିଛି । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ୨ରୁ ୩ ମିଟର ଉଚ୍ଚର ଜୁଆର ମାଡ଼ି ଆସିବାର ସମ୍ଭାବନା ରହିଛି ।

୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତାକାଲି ଅର୍ଥାତ୍ ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ତେବେ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ପୁରୀ, ଗଞ୍ଜାମ ଓ ମୂୟରଭଞ୍ଜ ଆଦି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ,ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ୭ରୁ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି । ଆଉ କିଛି ସ୍ଥାନରେ ୨୦ରୁ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର,ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିରୁ ଦୁଇଟି ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଓ ୨୫ ତାରିଖରେ ବର୍ଷାର ବସ୍ତୁତି ବଢ଼ିବ । ୨୬ ତାରିଖରୁ ବର୍ଷାର ମାତ୍ରା କମିବ । ହେଲେ ୨୬ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି ।