fbpx

ଜିଓ ଡାଟାରେ ୪୫ ପ୍ରତିଶତ ଅଭିବୃଦ୍ଧି, ସବୁଜ ଶକ୍ତି ପାଇଁ ୬୦ ହଜାର କୋଟି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଶୁକ୍ରବାର ଏହାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରଆଇଏଲ୍ ମୁଖ୍ୟ ମୁକେଶ ଅମ୍ବାନୀ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକକୁ ସମ୍ବୋଧିତ କରିଥିଲେ । ରିଲାଏନ୍ସରେ ସବୁଠାରୁ ବଡ ନିବେଶକାରୀ ସାଉଦିଆରବର ତୈଳ କମ୍ପାନୀ ଆରାମକୋର ଚେୟାରମ୍ୟାନ୍ ୟାସିର ଅଲି ରୁମାୟାନ୍ ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ବୋର୍ଡରେ ଯୋଗ ଦେବା ସମ୍ପର୍କରେ ଅମ୍ପାନୀ ଘୋଷଣା କରିଥିଲେ । ଏହା ସହିତ ସବୁଜ ଶକ୍ତି ଉପରେ ଆରଆଇଏଲ୍ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସବୁଜ ଶକ୍ତି କ୍ଷେତ୍ରରେ ଆସନ୍ତା ଏକ ବର୍ଷ ମଧ୍ୟରେ କମ୍ପାନୀ ୬୦ ହଜାର କୋଟି ନିବେଶ କରିବାକୁ ଯାଉଥିବା ନେଇ ଅମ୍ବାନୀ ସୂଚନା ଦେଇଛନ୍ତି । ଗୁଜରାଟର ଜାମନଗରରେ ହେବାକୁ ଥିବା ଏହି କାରଖାନାଟି ୫ ହଜାର ଏକର ଅଞ୍ଚଳରେ ପରିବ୍ୟାପ୍ତ ରହିବ । ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଲାଗି ଆରଆଇଲ୍ ପକ୍ଷରୁ ‘ଜିରୋ କାର୍ବନ’ ମିଶନର ଲଞ୍ଚ କରାଯାଇଥିବା ଅମ୍ବାନୀ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଦେଶର ହଜାର ହଜାର କ୍ଷୁଦ୍ର ଏମ୍ଏସ୍ଏମ୍ଇ ଲାଭାନ୍ୱିତ ହୋଇପାରିବେ ବୋଲି ଅମ୍ବାନୀ ସୂଚନା ଦେଇଛନ୍ତି ।

ବିଗତ ଏକ ବର୍ଷ ମଧ୍ୟରେ ଆରଆଇଏଲ୍ ପକ୍ଷରୁ ୯୮ ହଜାର ନୂତନ ନିଯୁକ୍ତି ପ୍ରଦାନ କରାଯାଇଥିବା ନେଇ ଏଜିଏମ୍ରେ ସୂଚନା ଦେଇଛନ୍ତି ଅମ୍ବାନୀ । ରିଲାଏନ୍ସ ଜିଓ ସହିତ ଏହି ସମୟସୀମା ମଧ୍ୟରେ ୩.୪ କୋଟି ନୂୂତନ ଗ୍ରାହକ ଯୋଡି ହୋଇଛନ୍ତି । ଏହା ସହିତ ଜିଓ ବ୍ୟବହାରକାରୀ ମାନେ ବିଗତ ବର୍ଷରେ ସମୁଦାୟ ୬୩୦ କୋଟି ଜିବି ଡାଟା ବ୍ୟବହାର କରିବା ସହିତ ଜିଓକୁ ବିଶ୍ୱର ଦ୍ୱିତୟ ସର୍ବବୃହତ କମ୍ପାନୀ ଭାବରେ ପ୍ରତିଷ୍ଠିତ କରିଛନ୍ତି । ପୂର୍ବବର୍ଷ ତୁଳନାରେ ଜିଓର ଡାଟା ବ୍ୟବହାରରେ ୪୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହା ସହିତ ଚୀନ୍ ବାହାରର ପ୍ରଥମ ଟେଲିକମ୍ କମ୍ପାନୀ ଭାବରେ ୪୦ କୋଟି ଗ୍ରାହକଙ୍କୁ ଯୋଡିବାରେ ସକ୍ଷମ ହୋଇଛି ଜିଓ ।

ଅପର ପକ୍ଷରେ ଏଭଳି ବଡ ଧରଣର ଘୋଷଣା ସତ୍ତେ୍ୱ ରିଲାଏନ୍ସର ଅଂଶଧନ ମୂଲ୍ୟ ତଳୁଆ ରହିଛି । ୧.୪୬ ପ୍ରତିଶତର ହ୍ରାସ ସହିତ ରିଲାଏନ୍ସର ଅଂଶଧନ ମୂଲ୍ୟ ୨୧୪୦ ଟଙ୍କାରେ ରହିଛି ।

Get real time updates directly on you device, subscribe now.