ମହାମାରୀରେ ମରିଗଲା ମାନବିକତା: କରୋନା ସଂକ୍ରମିତ ମୃତଦେହକୁ ନଦୀରେ ଫିଙ୍ଗି ଚାଲିଗଲେ ପରିଜନ

ବଲରାମପୁର : କରୋନା କାଳରେ ଦେଶରେ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କେତେ ବେଳେ ଗଙ୍ଗାରେ ମୃତଦେହ ଭାସୁଛି ତ ଆଉ କେଉଁଠି ବାଲିରେ ମୃତଦେହ ପୋତି ଦିଆଯାଉଛି । ଲୋକଙ୍କଠାରେ ମାନବିକତା ମରି ଯାଉଥିବା ଦେଖିବାକୁ ମିଳୁଛି । ଏମିତି ସ୍ଥିତି ଯେ, ପୁଅ ବାପର ମର ଶରୀର ଛୁଇଁବାକୁ ପ୍ରସ୍ତୁତ ନୁହଁ । ଏବେ ଉତର ପ୍ରଦେଶର ବଲରାମପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଶନିବାର କରାନୋ ସଂକ୍ରମିତ ମୃତଦେହକୁ ଘରକୁ ନେଉଥିବା ପରିଜନ ତୁଳସିପୁର ହାଇୱେରେ ସ୍ଥିତ ରାପ୍ତି ନଦୀରେ ଶବକୁ ଫିଙ୍ଗି ଦେଇ ଚାଲିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପ୍ରଶାସନରେ ଚହଳ ପଡିଛି ।

ଅତିରିକ୍ତ ଜିଲ୍ଲାପାଳ ଏକେ ଶୁକ୍ଳା ମାମଲାର ତଦନ୍ତ ଦାୟିତ୍ୱ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦେଇଛନ୍ତି । ସିଏମଓ ଡାକ୍ତର ଭିବି ସିଂହ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ ବଲରାମପୁର ଜିଲ୍ଲାର ଶୋହରତଗଢ ବ୍ଲକ ଅନ୍ତର୍ଗତ ସିଦ୍ଧାର୍ଥ ନଗରର ବାସିନ୍ଦା ପ୍ରେମ ନାଥ ମିଶ୍ରଙ୍କ ମେ ୨୫ରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ହେବାରୁ ଜିଲ୍ଲା ହସ୍ପିଟାଲରେ ଭର୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମେ ୨୮ରେ ତାଙ୍କର ମୃତ୍ୟୁ ଘଟିଥିଲା । ମେ ୨୯ରେ ପ୍ରେମ ନାଥଙ୍କ ମୃତଦେହକୁ କରୋନା ପ୍ରୋଟୋକଲ ଆଧାରରେ ତାଙ୍କ ଭଣଜା ସଞ୍ଜୟ ଶୁକ୍ଳାଙ୍କୁ ହସ୍ତାନ୍ତର କରାଯାଇଥିଲା ।

ତେବେ ମୃତଦେହ ଘରକୁ ନେବା ସମୟରେ ସଞ୍ଜୟ କୁମାର ଏବଂ ତାଙ୍କ ସାଙ୍ଗ ବର୍ଷା ହେଉଥିବା ସମୟରେ ମୃତଦେହକୁ ରାପ୍ତି ନଦୀରେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି । ମୃତଦେହକୁ ନଦୀକୁ ଫିଙ୍ଗିବା ସମୟରେ ସେହି ରାସ୍ତା ଦେଇ କାରରେ ଯାଉଥିବା କିଛି ଲୋକ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାଟି ଲୋକଲୋଚନ ସାମ୍ନାକୁ ଆସିଛି ।

ଦେହାତ କୋତବାଲିରେ ସଞ୍ଜୟ କୁମାର ଏବଂ ତାଙ୍କ ସାଙ୍ଗଙ୍କ ବିରୋଧରେ ମହାମାରୀ ଅଧିନିୟମ ଆଧାରରେ କେସ ରୁୁଜୁ କରାଯାଇଛି । ପୋଲିସ ଏବେ ଅଭିଯୁକ୍ତଙ୍କ ସନ୍ଧାନରେ ଜୁଟି ଯାଇଛି । ଶବକୁ ନଦୀରେ ଫିଙ୍ଗିବା ପରେ ସଞ୍ଜୟ ଫେରାର ଅଛନ୍ତି ।