fbpx

ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ମୃତ ଶିକ୍ଷୟତ୍ରୀଙ୍କୁ ବି ମିଳିଛି ବାତ୍ୟା ଡ଼୍ୟୁଟି

ମୃତ ଓ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କରିବେ ବାତ୍ୟା ମୁକାବିଲା

Advertisement

କେନ୍ଦ୍ରାପଡା (ଓଡ଼ିଶା ଭାସ୍କର)  : କଥାରେ ଅଛି ସାରା ରାତି ଅନିଦ୍ରା ମୁଗୁରା ପଛମେଲା । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ପ୍ରଶାସନର ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଯାହା ତାକୁ ଦେଖିଲେ ତା’ର ପରିଣତି ଯେ ଅନୁରୂପ ହେବାକୁ ଯାଉଛି ତାହା ଯେକେହି ବି ସହଜରେ ବୁଝିପାରିବେ । ଅବଶ୍ୟ ଯଦି କେବଳ କାଗଜପତ୍ରରେ ଏହା କରୁଥାନ୍ତି ତେବେ ଭିନ୍ନ କଥା । ବାତ୍ୟା ୟାସ୍‌ ଭୟଙ୍କର ରୂପ ନେବାର ସମ୍ଭାବନା ଥିବାରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳି ଓ ସ୍କୁଲ କୋଠାରେ ତଳିଆ ଅଞ୍ଚଳରେ ଏବଂ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଯଥେଷ୍ଟ ପୂର୍ବରୁ ଥଇଥାନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପ୍ରଶାସନର ନିର୍ଦ୍ଦେଶ ମତେ ଶିକ୍ଷା ବିଭାଗ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳି ଓ ସ୍କୁଲକୁ ଲୋକଙ୍କୁ ସ୍ଥାନାନ୍ତର କରାଇବା ଓ ଏହାର ପରିଚାଳନା କରିବା ପାଇଁ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ନିୟୋଜିତ କରିଛନ୍ତିା କେଉଁଠି କିଏ ଦାୟିତ୍ୱ ତୁଲାଇବେ ସେ ସମ୍ପର୍କୀତ ୩୩ ପୃଷ୍ଠାର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ତାଲିକା ମଧ୍ୟ ପ୍ରକାଶ ପାଇଛି । କିନ୍ତୁ ଦୁଃଖର କଥା ଯେ , କେଉଁଠି ଚାକିରୀରେ ନଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି ତ ଅନ୍ୟ କେଉଁଠି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ନିଜ ସ୍କୁଲ ଛାଡ଼ି ବହୁ ଦୂର ଭିନ୍ନ ସ୍କୁଲର ଦାୟିତ୍ୱରେ ନିୟୋଜିତ କରାଯାଇଛିା

ଏପରିକି ଓଆରଏସ ପାଇ ଶିକ୍ଷକତା ଛାଡ଼ି ପ୍ରଶାସନିକ ସ୍ତରରେ ଅବସ୍ଥାପିତ ବ୍ୟକ୍ତିଙ୍କୁ ଶିକ୍ଷକ ଦର୍ଶାଇ ଏହି ଆଶ୍ରୟସ୍ଥଳି ଦାୟିତ୍ୱରେ ରଖାଯାଇଥିବା ଦେଖାଯାଇଛି । ସେହିପରି ମୃତା ଶିକ୍ଷୟତ୍ରୀଙ୍କୁ ଡ଼୍ୟୁଟିରୁ ବାଦ୍‌ ଦେଇ ନାହାଁନ୍ତି । ଏକଦା ଗୋବରୀ ହାଇସ୍କୁଲରେ ଶିକ୍ଷକତା କରୁଥିବା ପ୍ରଦୀପ କୁମାର ସେଠୀ କେବେ ଠାରୁ ଓଆରଏସ ପାଇ ଏହି ଜିଲ୍ଲାରେ ଡ଼୍ୟୁଟି କଲେକ୍ଟର ଭାବେ ଅବସ୍ଥାପିତ ହୋଇଥିବା ବେଳେ ତାଙ୍କୁ ଶିକ୍ଷକ ଭାବେ ସେଠାରେ ନିୟୋଜିତ କରାଯାଇଛି ।

ସେହିପରି ଅବସର ଗ୍ରହଣ କରି ସାରିଥିବା ଶିକ୍ଷକ ଗୌରାଙ୍ଗ ନାୟକଙ୍କୁ କୁତରଙ୍ଗ ହାଇସ୍କୁଲରେ ଅବସ୍ଥାପିତ କରାଯାଇଥିବା ବେଳେ ଅବସରପ୍ରାପ୍ତ ସୁବାସ ଚନ୍ଦ୍ର କରଙ୍କୁ ସୁଦର୍ଶନ ହାଇସ୍କୁଲରେ ଓ ୩ବର୍ଷ ହେବ ସରକାର ଖାତାରେ ଆବସ୍କଣ୍ଡେ ଥିବା ମଦନ ମୋହନ ବିଦ୍ୟାପୀଠର ଜଣେ ଶିକ୍ଷୟତ୍ରୀଙ୍କୁ ବାତ୍ୟା ଡ଼୍ୟୁଟି ଦିଆଯାଇଛି । ଗରାପୁର ସ୍କୁଲରେ ଥିବା ଗୀତାଞ୍ଜଳୀ ସ୍ୱାଇଁଙ୍କୁ ବଳି ରାଜସ୍କୁଲରେ ଅବସ୍ଥାପିତ କରାଯାଇଛି ।

ସବୁଠାରୁ ଦୁର୍ଭାଗ୍ୟର କଥା ଯେ ,ବାସୁଳେଇ ସ୍କୁଲରେ ଶିକ୍ଷୟତ୍ରୀ ଥିବା ଭାନୁପ୍ରିୟା ମଲିକ ୮ମାସ ହେଲା ମୃତ୍ୟୁବରଣ କରିସାରିଥିଲେ ମଧ୍ୟ ତାଙ୍କୁ ବାତ୍ୟା ଡ଼୍ୟୁଟିର ଛାଡ଼ ମିଳିନି ।ଏହି ଭଳି ବାତ୍ୟା ଡ଼୍ୟୁଟିରେ ଥିବା ବହୁ ତ୍ରୁଟିକୁ ଦେଖିଲେ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ଫଳ କ’ଣ ହେବ ତାହା ଆଉ କହିବାର ଆବଶ୍ୟକତା ନାହିଁ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.