(Video) ମୃତ୍ୟୁ ପୂର୍ବରୁ LIVE ଦୃଶ୍ୟ: ଭିଡିଓ କଲରେ କଥା ହେଉଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚିବା ସହିତ ଘଟଣାର ଅନୁଧ୍ୟାନ କରୁଛନ୍ତି । ମୃତକଙ୍କ ପରିବାର ପାଇଁ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ରାଶି ଘୋଷଣା କରାଯିବା ସହିତ ବଗିଗୁଡ଼ିକରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ନିଜର ଲୋକଙ୍କୁ ହରାଇ ମୃତକଙ୍କ ପରିବାର ବର୍ଗ ଆତ୍ମହତରା ହୋଇପଡ଼ିଥିବା ବେଳେ ଆଉ କିଛି ସେମାନଙ୍କର ସଂପର୍କୀୟଙ୍କୁ ଖୋଜି ବୁଲୁଛନ୍ତି । ଜରୁରୀକାଳୀନ ନମ୍ବରକୁ ଫୋନ୍ କରି ପଚାରି ବୁଝିବା ସହିତ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ଘୂରି ବୁଲୁଛନ୍ତି ମୃତକଙ୍କ ପରିଜନମାନେ । ତେବେ ଏହା ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

ବାହାନଗା ଟ୍ରେନ ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସମ୍ପର୍କୀୟମାନେ ନିଜ ନିଜର ପରିଜନଙ୍କ ଖବର ବୁଝିବା ଆରମ୍ଭ କରିଦେଇଥିଲେ । ତେବେ ଏହା ମଧ୍ୟରେ ଜଣେ ବ୍ୟକ୍ତି ତାଙ୍କର ସମ୍ପର୍କୀୟଙ୍କୁ ଖୋଜିଖୋଜି ମୋବାଇଲରେ ରହିଥିବା ଫଟୋକୁ ଧରି ଘୂରି ବୁଲୁଛନ୍ତି । ପଶ୍ଚିମବଙ୍ଗର ଜଣେ ଯାତ୍ରୀଙ୍କର କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଯାତ୍ରୀ ଜଣଙ୍କର ଭିଡିଓ କଲରେ ଭାଇ ଓ ଭାଇବୋହୂଙ୍କ ସହିତ କଥା ହେଉଥିଲେ । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଓ ତା’ପରେ ଯାତ୍ରୀ ଜଣଙ୍କ ଆଉ ଫୋନ୍ ଉଠାଇନଥିଲେ । ଏବେ ବି ଭାଇ ଓ ଭାଇ ବୋହୂଙ୍କ ସନ୍ଧାନ ମିଳିନଥିବା ବେଳେ ଗାଁର ଯୁବକମାନେ ଏବେ ବି ଖୋଜିବାରେ ଲାଗିପଡ଼ିଛନ୍ତି ।