fbpx

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ ପାଇଁ ଦାୟୀ କିଏ ଥିଲା, ଆସନ୍ତୁ ଜାଣିବା ସେ ରହସ୍ୟ ବିଷୟରେ

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲବାହାଦୁର ଶାସ୍ତ୍ରୀ । ସେ ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ସେ ଉତ୍ତରପ୍ରଦେଶର ମୁଗଲସରାଇରେ ୧୯୦୪ ମସିହା ଅକ୍ଟୋବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଦେଶର ରେଳମନ୍ତ୍ରୀ ଥିବା ସମୟରେ ଏକ ରେଳ ଦୁର୍ଘଟଣା ଘଟିଥିଲା । ଉକ୍ତ ଦୁର୍ଘଟଣା ପାଇଁ ସେ ନିଜକୁ ଦାୟୀ କରି ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହି ଘଟଣା ହିଁ ତାଙ୍କର ମହାନ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରୁଛି । ଶାସ୍ତ୍ରୀଙ୍କ ସମୟରେ ଭାରତ ପଡ଼ୋଶୀ ଖଳରାଷ୍ଟ୍ର ପାକିସ୍ତାନର ଉଚିତ ମୁକାବିଲା କରିବାରେ ସକ୍ଷମ ହୋଇଥିଲା । ସେ ୧୯୬୬ ମସିହା ଜାନୁଆରୀ ମାସ ୧୧ ତାରିଖରେ ପରଲୋକ ଗମନ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱାଧୀନ ଭାରତର ଏହି ମହାନ୍ ଜନନାୟକଙ୍କ ମୃତ୍ୟୁ ରହସ୍ୟ ଆଜି ବି ସମସ୍ତଙ୍କ ପାଇଁ ଅଜଣା ହୋଇ ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ ।

ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ଶାସ୍ତ୍ରୀ ତାସକେଣ୍ଟ ଗସ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ମୃତ୍ୟୁର ପୂର୍ବଦିନ ଅର୍ଥାତ ଜାନୁଆରୀ ୧୦ ତାରିଖ ଦିନ ଅପରାହ୍ଣ ୪ଟାରେ ସେ ରୁଷ ଦ୍ୱାରା ପ୍ରଦାନ କରାଯାଇଥିବା ଅତିଥି ଭବନକୁ ଫେରିଥିଲେ । ସେ ସମୟରେ ରୁଷରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଟିଏନ୍ କାଉଲଙ୍କ ବାସଭବନରେ ଖାଦ୍ୟ ପ୍ରସ୍ତୁତ ହୋଇ ଶାସ୍ତ୍ରୀଙ୍କୁ ଦିଆଯାଇଥିଲା । ରାତି ୧୧.୩୦ ସମୟରେ କାଉଲଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୀର ସେବନ କରି ଶୋଇଯାଇଥିଲେ । ହଠାତ୍ ରାତି ୧.୨୫ ସମୟରେ ଶାସ୍ତ୍ରୀ ଉଠି ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ରୁମରେ କୌଣସି ଫୋନ୍ ନଥିବାରୁ ସେ ବହୁ କଷ୍ଟରେ ଗୁରୁଣ୍ଡି ଗୁରୁଣ୍ଡି ତାଙ୍କର ବ୍ୟକ୍ତିଗତ ଡାକ୍ତର ଆରଏନ ଚଘଙ୍କୁ ଖବର ଦେଇଥିଲେ । ମାତ୍ର ବିଧିର ବିଧାନ ଥିଲା ଅଲଗା, ଡା. ଚଘ ପହଞ୍ଚିବା ପୂର୍ବରୁ ଚିରନିଦ୍ରାରେ ଶୋଇଯାଇଥିଲେ ସ୍ୱାଧୀନ ଭାରତର ଏହି ମହାନ ଯୋଗ୍ୟ ସନ୍ତାନ । ଏହାପରେ ଡା. ଚଘ ଭୋ ଭୋ କାନ୍ଦି ଉଠିଥିଲେ ଓ ଅଭିମାନ ଭରା କଣ୍ଠରେ କହିଥିଲେ, ‘ବାବୁଜୀ ମୋତେ ଆପଣ ଟିକିଏ ସମୟ ଦେଲେ ନାହିଁ । ‘

ତେବେ ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ଯେତେବେଳେ ତାଙ୍କର ମରଶରୀର ଦିଲ୍ଲୀରେ ପହଞ୍ଚିଥିଲା, ସେତେବେଳେ ତାଙ୍କର ଦେହ ନୀଳ ରଙ୍ଗ ହୋଇଯାଇଥିଲା । ଶାସ୍ତ୍ରୀଙ୍କୁ କେହି ବିଷ ଦେଇଥିବା ନେଇ ତାଙ୍କ ମାଆ ଓ ଧର୍ମପତ୍ନୀ ଅଭିଯୋଗ କରିଥିଲେ । ବିଭିନ୍ନ ରାଜନୈତିକ ଦଳରେ ଥିବା ଶାସ୍ତ୍ରୀଙ୍କ ପୁଅ ଓ ନାତିମାନେ ମୃତ୍ୟୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆଣିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଶାସ୍ତ୍ରୀଙ୍କ ବେକ ପଛପଟେ ଆଘାତ ଓ ରକ୍ତର ଚିହ୍ନ ଦେଖିଥିବା ତାଙ୍କର ଜଣେ ବନ୍ଧୁ ଟିଏନ ସିଂହ ମଧ୍ୟ କହିଥିଲେ । ୧୯୭୭ ମସିହାରେ ଶାସ୍ତ୍ରୀଙ୍କ ମୃତ୍ୟୁର ଏକମାତ୍ର ସାକ୍ଷୀ ଡା. ଚଘଙ୍କୁ ତାଙ୍କ ପତ୍ନୀଙ୍କ ସହ ଟ୍ରକ ଚାପି ଦେଇଥିଲା । ଶାସ୍ତ୍ରୀଙ୍କର ମୃତଦେହକୁ ବ୍ୟବଚ୍ଛେଦ କରାଯାଇନଥିଲା । ତାଙ୍କର ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି, ଏଥିରେ ସନ୍ଦେହ ନାହିଁ । ମୃତ୍ୟୁ ପରବର୍ତ୍ତୀ ସମୟର ବିଭିନ୍ନ ଘଟଣାକୁ ଅବଲୋକନ କଲେ ସ୍ପଷ୍ଟ ହୁଏ, ଯେ ଶାସ୍ତ୍ରୀଙ୍କୁ ହତ୍ୟା କରାଯାଇଛି, ମାତ୍ର ସେ ରହସ୍ୟ ବୋଧହୁଏ ଯୁଗ ଯୁଗ ପାଇଁ ରହିଯିବ ଅଜଣା ହୋଇ ।

Get real time updates directly on you device, subscribe now.